ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ପବନଙ୍କ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

୨୫,୦୦୦ ଟଙ୍କା ଜରିମାନା ଦେବେ ଓକିଲ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଆଜି ଖାରଜ କରିଛନ୍ତି । ଏଥିସହ ଓକିଲ ଜରିମାନାରେ ୨୫ ହଜାର ଟଙ୍କା ଗଣିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ପବନ କରିଥିବା ଯାଚିକା ଅନୁଯାୟୀ, ୨୦୧୨, ଡିସେମ୍ବରରେ ଏହି ଅପରାଧ ଘଟାଇବାବେଳେ ସେ ନାବାଳକ ଥିଲା, ଏଣୁ ତାକୁ ଦଣ୍ଡରୁ ଛାଡ଼ କରାଯାଉ । ପୂର୍ବରୁ ହାଇକୋର୍ଟ ଏହି ଆବେଦନର ଶୁଣାଣି ୨୦୨୦ ଜାନୁୟାରୀ ୨୪ରେ କରିବାକୁ ଧାର୍ଯ୍ୟ କରିଥିଲେ । କିନ୍ତୁ କୋର୍ଟ  ଗୁରୁବାର ସେହି ଆଦେଶକୁ ପ୍ରତ୍ୟାହାର କରିନେବା ସହ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ । ଅଦାଲତରେ ଉପସ୍ଥିତ ହେବାକୁ  ବାରମ୍ବାର ଯୋଗାଯୋଗ କରାଯିବା ସତ୍ୱେ ଫୋନ ଉଠାଇ ନଥିବାରୁ କୋର୍ଟ ପବନର ଓକିଲ ଏ.ପି.ସିଂଙ୍କୁ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ନିର୍ଭୟା  ଦୁଷ୍କର୍ମକାରୀ ପବନ  ଅପରାଧ ଦିନ (୧୬ ଡିସେମ୍ବର ୨୦୧୨)  ନାବାଳକ ଥିଲେ, ତେଣୁ ତାଙ୍କୁ  ‘ଜୁଭେନାଇଲ୍ ଜଷ୍ଟିସ୍’ ଆଇନର ପ୍ରବଧାନ ଅନୁଯାୟୀ ଦଣ୍ଡବିଧାନ ହେଉ ବୋଲି ଦାବି କରି  ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବୟସ ଜାଣିବାକୁ ତଦନ୍ତକାରୀ ଅଧିକାରୀ ତାଙ୍କର ହାଡ଼ ପରୀକ୍ଷା କରାଇ ନ ଥିବାରୁ ଆଇନ ଅନୁସାରେ, ତାଙ୍କୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ଛାଡ଼ କରାଯାଉ ବୋଲି ସେ ନିବେଦନ କରିଥିଲେ। ଏଥିସହ  ସେ ନାବାଳକ ଥିଲେ କି ନାହିଁ ତାହା ସ୍ଥିର କରିବାକୁ ତାଙ୍କର ହାଡ଼ ପରୀକ୍ଷା ଲାଗି ଆଦେଶ ଦିଆଯାଉ ବୋଲି ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ।

ମାତ୍ର ଏହି ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି କି ଯେହେତୁ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି ତେଣୁ ଏହାକୁ ବିଚାର କରିବା କ୍ଷମତା କୋର୍ଟଙ୍କର ନାହିଁ। ଏହି କାରଣରୁ ଜୁଭେନାଇଲ୍ ଜଷ୍ଟିସ ଆକ୍ଟର ଧାରା-୭ ଅନୁସାରେ ଆବେଦନର ଶୁଣାଣି ହାଇକୋର୍ଟ କରିପାରିବେ ନାହିଁ। ସେହିପରି ଦିଲ୍ଲୀ ହାଇକୋର୍ଟ ଅପରାଧ ଦିନ ପବନଙ୍କ ନାବାଳକ ହେବା ଦାବିକୁ ମଧ୍ୟ ନାକଚ କରିଦେଇଛନ୍ତି। କୋର୍ଟ କହିଛନ୍ତି କି ତଦନ୍ତ ସମୟର ତଥ୍ୟପ୍ରମାଣ ଅନୁସାରେ ସେ ଅପରାଧ ଦିନ ନାବାଳକ ନଥିଲେ। ଏହା ଫଳରେ ଫାଶୀଦଣ୍ଡରୁ ବର୍ତିବା ଲାଗି ପବନ ଗୁପ୍ତାର ଶେ‌ଷ ଉଦ୍ୟମ ବିଫଳ ହୋଇଛି ବୋଲି ଆଇନ ବିଶାରଦ ମତ ଦେଇଛନ୍ତି।