ଆସନ୍ତାକାଲି ଫାଶୀ ପାଇବେନି ୪ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଆସନ୍ତାକାଲି ଫାଶୀ ପାଇବା ନେଇ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ତାହା ଟଳିଯାଇଥିବା ଜଣାପଡିଛି । ଫଳରେ ମୃତ୍ୟୁ ପରୱାନା ଉପରେ ରୋକ ଲାଗିଛି ।

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ  ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ଫାଶୀ ଲାଗି ଜାରି କରିଥିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନ‌ା ଉପରେ ରୋକ ଲଗାଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଧର୍ମେନ୍ଦ୍ର ରାନା କହିଥିଲେ, ଦୋଷୀ ପବନ୍ ଗୁପ୍ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତି ରାଷ୍ଟ୍ରପତିଙ୍କ ବିଚାରାଧୀନ ଥିବାରୁ ମୃତ୍ୟୁ ପରୱାନା କାର୍ଯ୍ୟକାରୀତାକୁ ପରବର୍ତୀ ଆ‌ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା।

ଯଦିଓ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ସେମାନଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଥିଲେ କିନ୍ତୁ ପବନର ରାଜକ୍ଷମା ଆବେଦନ ଉପରେ ନିଷ୍ପତି ଆସି ନଥିବାରୁ ରାୟ ପରିବର୍ତନ କରିବାକୁ ବାଧ୍ୟ ହୋଇଥିଲେ।

ସୂଚନା ମୁତାବକ, ଶନିବାର ଦୋଷୀ  ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିଲା।  ସେହିଭଳି ଶନିବାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା। ଏହି ଦୁଇ ଆବେଦନକୁ ଦର୍ଶାଇ ଦୋଷୀ ପୱନ୍ ଓ ଅକ୍ଷୟଙ୍କ ଓକିଲ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ଆବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିବା ପ‌ରେ  ପବନ ପକ୍ଷରୁ ସଙ୍ଗେ ସଙ୍ଗେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରାଯାଇଥିଲା।