ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ତାରିଖ ଯେତେ ପାଖେଇ ଆସୁଛି, ସେମାନେ ସେଥିରୁ ବଂଚିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ତେବେ ପୁଣିଥରେ ଏଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏହି ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ବିନୟ ଶର୍ମା ତିହାର ଜେଲ ପ୍ରକୋଷ୍ଠରେ ଷ୍ଟାପଲର ପିନ୍ ଗିଳିବାକୁ ଉଦ୍ୟମ କରୁଥିଲେ । ଫଳରେ ଜେଲ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇ ଜେଲ ଡାକ୍ତରଖାନାରେ ଚିକିତ୍ସା କରାଇଥିବା ଜଣାପଡିଛି ।
ପୂର୍ବରୁ ଫେବ୍ରୁଆରି ୧୬ ତାରିଖ ଦିନ ମଧ୍ୟ ବିନୟ ରହୁଥିବା ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ବାଡ଼େଇ ଆହତ ହୋଇଥିବା କଥା ଜେଲ୍ କର୍ତୃପକ୍ଷ କହିଥିଲେ। ସଙ୍ଗେ ସଙ୍ଗେ ଜେଲ୍ କର୍ମଚାରୀମାନେ ତାଙ୍କୁ କାବୁ କରି ଡାକ୍ତରଖାନାରେ ଭର୍ତି କରିଥିଲେ।
ଦୋଷୀ ବିନୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍କୁ ପଠାଯାଉ ବୋଲି ବିନୟ ଶର୍ମାଙ୍କ ଓକିଲ କରିଥିବା ଆବେଦନକୁ ଗତକାଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଖାରଜ କରିଥିଲେ।
ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଏବଂ ଅକ୍ଷୟ ସେମାନଙ୍କ ପରିବାର ବର୍ଗଙ୍କ ସହ ଶେଷ ଦେଖା କରି ନାହାନ୍ତି। ଫାଶୀ ପୂର୍ବରୁ ସେମାନେ କେବେ ନିଜ ନିଜର ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛନ୍ତି ତାହା ଜଣାଇବାକୁ ଜେଲ୍ କର୍ତୃପକ୍ଷ ଶୁକ୍ରବାର ଦିନ ସେମାନଙ୍କୁ ଚିଠି ଲେଖିଛନ୍ତି।
ଅନ୍ୟ ଦୁଇ ଦୋଷୀ ମୁକେଶ ଓ ପବନ ଜାନୁଆରି ୩୧ ତାରିଖ ଦିନ ସେମାନଙ୍କ ପରିବାର ଲୋକଙ୍କ ସହ ଶେଷ ଦେଖା କରି ସାରିଛନ୍ତି। ଏହାଛଡ଼ା ସମସ୍ତଙ୍କ ପାଇଁ ସପ୍ତାହକୁ ଦୁଇ ଥର ନିୟମିତ ‘ମୁଲାକାତ୍’ ଜାରି ରହିଛି ବୋଲି ଜଣେ ବରିଷ୍ଠ ଜେଲ୍ କର୍ମଚାରୀ କହିଛନ୍ତି।