ଫାଶୀ ପାଇବାକୁ ଆଉ କିଛି ଦିନ ବାକି: ନିର୍ଭୟା ଅଭିଯୁକ୍ତ ବିନୟ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ୨୨ ତାରିଖରେ ଫାଶୀ ହେବାର ଘୋଷଣା ହୋଇଛି । ମାତ୍ର ଏହାପୂର୍ବରୁ ଶୁଣିବାକୁ ମିଳିଛି ନୂଆ ଖବର । ଫାଶୀ ଉପରେ ରୋକ ଲଗାଇବା ପାଇଁ ୪ ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ କୁମାର ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି ।

ତେବେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୪ ଅଭିଯୁକ୍ତଙ୍କୁ ଆସନ୍ତା ଜାନୁଆରୀ ୨୨ରେ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୟୁପିର ଜେଲ ବିଭାଗ ପକ୍ଷରୁ ତିହାର ଜେଲକୁ ଜଣେ ଘାତକ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ୪ ଦୋଷୀଙ୍କ ଫାଶୀ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।

ସେହି ସମୟରେ ନିର୍ଭୟା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାର ଉତରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୋଷୀଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବା ପାଇଁ ଓକିଲଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା କିନ୍ତୁ ସେ କୌଣସି ନୂତନ ତଥ୍ୟ ସାମ୍ନାକୁ ଆଣିପାରି ନାହାଁନ୍ତି।