ନିର୍ଭୟା ମାମଲା: ୨୨ ତାରିଖ ସକାଳ ୭ଟାରେ ୪ ଅଭିଯୁକ୍ତ ପାଇବେ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ କେବେ ଫାଶୀ ପାଇବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାର ଆଜି ଅନ୍ତ ଘଟିଛି । ତେବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତ ଚଳିତମାସ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦଣ୍ଡରେ ଦଣ୍ଡିତ ହେବେ ବୋଲି ଆଜି ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଜଣାଇଛନ୍ତି । କୋର୍ଟ ଏନେଇ ତିହାର ଜେଲ କର୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ଅଭିଯୁକ୍ତମାନଙ୍କର ମୃତ୍ୟୁ ପରୱାନା ମଧ୍ୟ ପଠାଇ ଦେଇଛନ୍ତି ।

ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୫ ଅନୁସାରେ ଏହି ମାମଲାରେ ଅଦାଲତ ଡେଥ୍ ୱାରେଂଟ ଜାରି କରିଛନ୍ତି। ଫଳରେ ୪ ନିର୍ଭୟା ଦୋଷୀ ଫାଶୀଖୁଂଟରେ ଝୁଲିବା ନିଶ୍ଚିତ ହୋଇପଡ଼ିଛି।

୪ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। କେବଳ ଫାଶୀ ହେବାର ତାରିଖ ଓ ସମୟକୁ ଅପେକ୍ଷା ରହିଥିଲା, ଯାହାକି ଆଜି ଘୋଷଣା ହୋଇଯାଇଛି।

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ପବନ କୁମାରର ପିତା ଏହି ଫାଶୀ ଦଣ୍ଡାଦେଶକୁ ଅଟକାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ସୋମବାର ତାହାକୁ ବି କୋର୍ଟ ଖାରଜ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଂଟ ଏଲିଜାବେଥ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା। ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।

୫ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଏବଂ ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।