ନୂଆଦିଲ୍ଲୀ: ଆସନ୍ତା ୨୨ ଜାନୁଆରୀରେ ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ଦୋଷୀ ମୁକେଶ ସିଂହର ଦୟା ଯାଚିକା ଉପରେ ଶୁଣାଣି କରି ଫାଶୀ ଉପରେ ବର୍ତମାନ ପାଇଁ ରୋକ ଲଗାଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ । ଆସନ୍ତା ୨୨ରେ ଦୋଷୀଙ୍କୁ ଫାଶୀ ନ ଦେବା ପାଇଁ ତିହାର ଜେଲ ପ୍ରଶାସନକୁ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ଫାଶୀଦଣ୍ଡରୁ ବଂଚିବା ପାଇଁ ଶେଷ ପ୍ରୟାସ ଆପଣାଇଥିଲା । ମୁକେଶ ତିହାର ଜେଲ ପ୍ରଶାସନ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପଠାଇଛି । ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ପାଖରୁ ଦୟା ଯାଚିକା ଉପରେ କୌଣସି ନିଷ୍ପତି ନ ଆସିଛି, ସେତେ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ମୁକେଶଙ୍କ ପକ୍ଷରୁ ଓକିଲ ବୃନ୍ଦା ଗୋଭର ଯୁକ୍ତି ରଖିଥିଲେ । କୋର୍ଟ ଉଭୟ ପକ୍ଷଙ୍କ ଦଲିଲକୁ ଦୃଷ୍ଟିରେ ରଖି ଫାଶୀ ତାରିଖକୁ ଘୁଂଚାଇବା ପାଇଁ ସଙ୍କେତ ଦେଇଛନ୍ତି । ଏହି ମାମଲାରେ ଜିଲ୍ଲା ଅଧିକାରୀ ରିପୋର୍ଟ ଦାଖଲ କରିବା ପରେ ନୂଆ ଡେଥ୍ ଓ୍ବାରେଂଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି ।