ନିର୍ଭୟା କେସ୍: ଫାଶୀଦଣ୍ଡ ପୁନର୍ବିଚାରରୁ ଓହରିଲେ ସିଜେଆଇ, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । କାରଣ ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଓହରି ଯାଇଛନ୍ତି । ଫଳରେ ଆସନ୍ତାକାଲି ଏହାର ନୂତନ ଖଣ୍ଡପୀଠ ଗଠନ କରାଯାଇ ଏହାର ଶୁଣାଣି ହେବ ।

ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟାଙ୍କ ମା’ କରିଥିବା ଡେଥ୍‌ ୱାରେଂଟ ମାମଲାର ଶୁଣାଣି ଆସନ୍ତାକାଲି କରିବାର ଅଛି। ହେଲେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନର ଶୁଣାଣି କରି ନଥିବାରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆସନ୍ତାକାଲି ଚୂଡ଼ାନ୍ତ ରାୟ ପ୍ରକାଶ ନ କରିପାରନ୍ତି।

ଏସବୁ ଭିତରେ ଦେଶବାସୀଙ୍କ ଅପେକ୍ଷା ମଧ୍ୟ ଆହୁରି ବିଳମ୍ବିତ ହୋଇଛି। କାରଣ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲିବା ପାଇଁ ସାରା ଦେଶ ଗୋଟିଏ ସ୍ୱରରରେ ଦାବି କରିଛି। ନିର୍ଭୟାଙ୍କ ମା’ ମଧ୍ୟ ଆଜି ଶୁଣାଣି ବେଳେ କୋର୍ଟ ନଂ ୧ରେ ଉପସ୍ଥିତ ରହିଥିଲେ।