ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ହାଇକୋର୍ଟଙ୍କ ଆଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିବା ସହ ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଏହାର ଶୁଣାଣି ଆସନ୍ତାକାଲି କରିବାକୁ ରାଜି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର ୪ ଦୋଷୀ ଫାଶୀରୁ ବର୍ତିବା ପାଇଁ ଗୋଟିଏ ପରେ ଗୋଟିଏ ବିକଳ୍ପ ଆପଣାଉଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ୨ ଥର ଫାଶୀ ତାରିଖ ଘୁଂଚାଯାଇ ସାରିଲାଣି। ତେଣୁ ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବାକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ କର୍ତୃପକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ ।

କିନ୍ତୁ କୋର୍ଟ ଏହାକୁ ଖାରଜ କରି ସେମାନଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଗତକାଲି କହିଥିଲେ । ଏହା ସହିତ ସେମାନଙ୍କୁ ସପ୍ତାହେ ସମୟ ଦେଇଥିଲେ । ୭ ଦିନ ମଧ୍ୟରେ ଦୋଷୀମାନେ ସେମାନଙ୍କ ପାଇଁ ରହିଥିବା ଆଇନଗତ ବିକଳ୍ପକୁ ଉପଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।