ନିର୍ଭୟା ମାମଲା: ଫାଶୀ ପାଇବା ପୂର୍ବରୁ ମା’କୁ ଭେଟିଲା ଅଭିଯୁକ୍ତ ମୁକେଶ !

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବେ । ଫାଶୀ ସମୟ ପାଖେଇ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ମୁକେଶ କୁଆଡେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ତେବେ ତା’ର ଶେଷ ଇଚ୍ଛା ଅନୁଯାୟୀ ସେ କୁଆଡେ ତା ମା’କୁ ଭେଟ କରିବାକୁ ଚାହିଁଛି । ଯେଉଁ କାରଣରୁ ମା’କୁ ଭେଟିବାକୁ ଇଚ୍ଛା କରିବା ପରେ ଜେଲ କର୍ତୃପକ୍ଷ ତା’ ମାଆଙ୍କୁ ମୁକେଶ ନିକଟକୁ ଡକାଇଥିଲେ। ଜେଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅଧଘଂଟା ଧରି ନିଜ ମାଆ ସହ ସମୟ ବିତାଇଥିଲା ମୁକେଶ। ମାଆକୁ ଦେଖିବା ପରେ ଭୋ ଭୋ ହୋଇ କାନ୍ଦି ଉଠିଥିଲା ସେ। ନିଜକୁ ସମ୍ଭଳି ପାରି ନଥିଲା। ଶେଷରେ ଅଧଘଂଟା ପରେ ମୁକେଶକୁ ଭିତରକୁ ନିଆଯାଇଥିଲା। ନିଜ କଲା କର୍ମ ପାଇଁ ମୁକେଶ ପଶ୍ଚାତାପ କରୁଥିବାର ବି ସୂଚନା ରହିଛି।

ମାତ୍ର ଜେଲ୍‌ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ତିହାର ଜେଲ୍‌ର ଅଧିକାରୀଙ୍କ କହିବାନୁସାରେ, ମୁକେଶ ସହ ତା’ ମାଆଙ୍କର କୌଣସି ପ୍ରକାର ସାକ୍ଷାତ୍‌ ହୋଇନାହିଁ। ଏବେ ନିର୍ଭୟା ଦୋଷୀମାନଙ୍କୁ ଦୁଇ ନମ୍ବର ଜେଲ୍‌ର କସ୍ତୁରୀ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ସେମାନେ ଏବେ ଅନ୍ୟ କଏଦୀମାନଙ୍କଠାରୁ ଅଲଗା ହୋଇ ଏକା ରହୁଛନ୍ତି।ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ପାଇଁ ମାପ ପ୍ରକ୍ରିୟା ଚାଲିଥିବାବେଳେ ଚାରି ଜଣ ଦୋଷୀ ଭୋ ଭୋ ହୋଇ କାନ୍ଦିଥିବାର ଚର୍ଚ୍ଚା ହେଉଛି |

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାୟ କାଏମ୍ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି କରିବେ। ଜଷ୍ଟିସ୍‌ ଏନ୍‌ ଭି ରମଣା, ଅରୁଣ ମିଶ୍ର, ଆରଏଫ୍‌ ନରିମାନ୍‌, ଆର ଭାନୁମତୀ, ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍‌ ପିଟିସନ୍‌ର ଶୁଣାଣି କରିବେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରାଯାଇଛି।