ଉଦ୍ଧାର କରୁଥିବା ଡଙ୍ଗା ବୁଡ଼ିଗଲା, ୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ ହୋଇଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟା ପାଣିରେ ୩୦ରୁ ୩୨ ଜଣ ଲୋକଙ୍କ ନେଇ ସୁରକ୍ଷିତ ସ୍ଥାନକୁ ଆସୁଥିବା ଡଙ୍ଗାଟି ଅଧ ବାଟରେ ଓଲଟି ପଡ଼ିଥିଲା। ଏଥିଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ରୁ ୯ ଜଣ ନିଖୋଜ ଥିବା ପୁଣେ ଡିଭିଜନାଲ କମିଶନର ଦୀପକ ମହିଶେଖର କହିଛନ୍ତି।

ଶ୍ରୀ ମହିଶେଖର କହିଛନ୍ତି, “ପାଲୁସ ତହସିଲ ଅନ୍ତର୍ଗତ ବରହମାନଲ ଗାଁରେ ଏହି ଘଟଣା ଘଟିଛି। ଏହି ଗାଁଟି କ୍ରିଷ୍ଣାନଦୀ କୂଳରେ ରହିଛି। ଡଙ୍ଗାଟି ଏକ ଘରୋଇ କମ୍ପାନୀର। ଏଥିରେ ୩୦ରୁ ୩୨ ଜଣ ଲୋକ ଥିଲେ। ତେବେ ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ଥିବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ବନ୍ୟା ପାଣିରେ ବୁଡ଼ିଯାଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏବେ କି କିଛି ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ୍‌ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର କର୍ମଚାରୀମାନେ ଲାଗିଛନ୍ତି।”