ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ପୁରୀ: ଜନ୍ମବେଦିରୁ ବାହୁଡ଼ି ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଏବେ ଚତୁର୍ଦ୍ଧାବିଗ୍ରହ। ଭକ୍ତଶୂନ୍ୟ ସୁନାବେଶ ପରେ ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ଶନିବାର ନୀଳାଦ୍ରିବିଜେ। ରତ୍ନବେଦିକୁ ବିଜେ କରିବେ ଦାରୁଦିଅଁ। ଏଥିସହିତ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଆଉ ରବିବାରଠୁ ଭକ୍ତ ପାଇବେ ନୀଳାଚଳ ଅବଢ଼ା। କିନ୍ତୁ ଶ୍ରଦ୍ଧାଳୁଙ୍କୁ ମିଳିବନି ଦର୍ଶନ ସୁଯୋଗ। ମହାମାରୀ କରୋନା ପାଇଁ ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା, ସୁନାବେଶ ଓ ଅଧରପଣା ଆଦି ପର୍ବ କରାଯାଇଛି। ନୀଳାଦ୍ରିବିଜେ ବି ସେହିଭଳି ଭକ୍ତ ଶୂନ୍ୟ ରହିବ। ପ୍ରାୟ ସାଢେ ୩ମାସ ହେବ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି। ତେଣୁ ବଡ଼ଦେଉଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି। ନୀଳାଦ୍ରିବଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ବିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

ନୀଳାଦ୍ରିବିଜେ ନୀତି ନିର୍ଘଣ୍ଟ

ତିନି ରଥରେ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ-ତଡ଼ପଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶ ଶେଷ ୧୦ଟା, ମଧ୍ୟାହ୍ନ ଧୂପ ସାଢେ ୧୦ଟାରୁ ସାଢେ ୧୧, ମଇଲମ ଓ ବେଶ ୧୧ଟା ୪୫ରୁ ୧୨ଟା, ସନ୍ଧ୍ୟା ଆଳତି ୧୨ଟା ୧୫, ସନ୍ଧ୍ୟାଧୂପ ସାଢେ ୧୨ଟାରୁ ୧ଟା ୩୦, ଚାରବନ୍ଧା ସାଢେ୧ଟାରୁ ସାଢେ ୩ଟା, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ରୁନ୍ଧା ଶେଷ ରାତି ସାଢେ ୧୨ଟା, ଦଇତାପତି ସର୍ବାଙ୍ଗ ୧ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡୁଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ଟା ୩୦, ରୋଷହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡ଼ସିଂହାର ବେଶ ୪ଟା ୧୫, ବଡ଼ସିଂହାର ଭୋଗ ୪ଟା ୪୫ ଓ ରାତ୍ର ପହୁଡ଼ ଭୋର ୫ଟାରେ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।