ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ: ୯୦ ଜଣଙ୍କର କୋରୋନା ପଜିଟିଭ୍‌

ନୂଆଦିଲ୍ଲୀ: ନିଜାମୁଦ୍ଦିନ୍ ରେ ଆୟୋଜିତ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୯୦ଜଣ କୋରୋନାର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏହାବ୍ୟତୀତ ବର୍ତମାନ ସୁଦ୍ଧା ୭ଜଣଙ୍କ ପ୍ରାଣହାନୀ ହୋଇଥିବା ମଧ୍ୟ ସୂଚନା ମିଳିଛି ।

୪୦୦ରୁ ଅଧିକ ଲୋକଙ୍କ ମଧ୍ୟରେ ଏହାର ଲକ୍ଷଣ ମଧ୍ୟ ଦେଖାଯାଉଛି। ସେମାନଙ୍କୁ ଦିଲ୍ଳୀର ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯିବା ସହିତ କ୍ୱାରେନଂଟାଇନ୍ ରେ ରଖାଯାଇଛି। ଏହି ସମ୍ମିଳନୀରେ ଯୋଗଦେଇ ଘରକୁ ଫେରିଯାଇଥିବା ଲୋକଙ୍କୁ ଠାବ କରି ସେମାନଙ୍କୁ କ୍ୱାରେନଂଟାଇନ୍ ରେ ରଖିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସମ୍ମିଳନୀରେ ଯୋଗଦେଇଥିବା ୧୧୦୦ ବିଦେଶୀ ନାଗରିକଙ୍କ ମଧ୍ୟରୁ ୨୧୬ ଜଣଙ୍କୁ ଠାବ କରାଯାଇଛି ଏବଂ ସେମାନଙ୍କୁ ସଂ‌ଗରୋଧରେ ରଖାଯାଇଛି। ଅନ୍ୟ ୮୦୦ ଜଣ ବିଦେଶୀ ଏହି ସମ୍ମିଳନୀ ପରେ ବିଭିନ୍ନ ରାଜ୍ୟକୁ ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରି ସଂଗରୋଧରେ ରଖିବା ଲାଗି କୁହାଯାଇଛି। ବର୍ତମାନ ସୁଦ୍ଧା ୭୦୦ ଲୋକଙ୍କୁ କ୍ୱାରେନଂଟାଇନ୍ ରେ ରଖାଯାଇଥିବା ଜଣାପଡ଼ିଛି।

ସମ୍ମିଳନୀରୁ ବିଭିନ୍ନ ରାଜ୍ୟକୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ ୨୧୩୭ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଆନ୍ଧ୍ର ପ୍ରଦେଶରୁ ଯାଇଥିବା ୭୦୦ ଲୋକଙ୍କୁ ଖୋଜିବା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି।