ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ମନୋରଂଜନ କେନ୍ଦ୍ର ‘ନିକୋ ପାର୍କ’ ଗୁରୁବାର ଶିଶୁଦିବସ ଅବସରରେ ଖୋଲିଛି। ଗତ ମେ’ ୩ ତାରିଖରେ ଦେଖାଯାଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଏହି ପାର୍କର ସୁନ୍ଦରତା ନଷ୍ଟ ହୋଇଯିବା ପରେ ପୁଣି ଥରେ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇଛି।
ଦୀର୍ଘ ୬ ମାସ ଯାଏଁ ଏହି ପାର୍କ ଦର୍ଶକଙ୍କ ପାଇଁ ବନ୍ଦ ରହିବା ପରେ ଆଜି ପ୍ରଥମ ଥର ପାଇଁ ଶିଶୁ ଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି। ଏଠାରେ ଦର୍ଶକଙ୍କୁ ମାଗଣାରେ ପ୍ରବେଶ ଦିଆଯାଇଛି। ମାଗଣା ପ୍ରବେଶ ଯୋଗୁଁ ପାର୍କରେ ପ୍ରବଳ ଦର୍ଶକଙ୍କ ଭିଡ଼ ଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାର୍କକୁ ପ୍ରବେଶ ପାଇଁ ନଭେମ୍ବର ୧୫ (ଶୁକ୍ରବାର) ଠାରୁ ପ୍ରବେଶ ଶୁଲ୍କ ଜଣ ପିଛା ୧୦୦ ଟଙ୍କା ଦେବାକୁ ପଡ଼ିବ।
ବିଡିଏ ସିଟି ସେଣ୍ଟର ଏବେ ନୂଆ ରୂପ ପାଇଛି। ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ପାର୍କକୁ ବିଡିଏ ନୂଆ ରୂପ ଦେଇଛି। ଆଉ କିଛି କାମ ବାକି ଥିଲେ ହେଁ ରାଜ୍ୟର ଏହି ଏକମାତ୍ର ଥିମ୍ ପାର୍କକୁ ଶିଶୁ ଦିବସ ଅବସରରେ ଖୋଲାଯାଇଛି। ସୂଚନା ଅନୁଯାୟୀ, ଏବେ ପିଲାମାନେ ୯ଟି ଖେଳ ଖେଳିପାରିବେ। ସେଗୁଡ଼ିକ ହେଲା ମ୍ୟାରି ଗୋ ରାଉଣ୍ଡ, କ୍ୟାଟର ପିଲାର, ଟଏ ଟ୍ରେନ୍, ପାଇରେଟ୍ ସିପ୍, ଟିଲ୍ଟ ଏ ହୁଇଲ୍, ଭୋଟେକ୍ସ, ୱାଟର କୋଷ୍ଟର, ମୁନ୍ ରେକର୍ ଏବଂ ବୋଟିଂ ଇତ୍ୟାଦି। ଏବେ ଜୁରାସିକ୍ ଜଙ୍ଗଲ୍, ହଣ୍ଟେଡ୍ ହାଉସ୍ ଏବଂ ଗ୍ଲାଇଡର୍ ଖେଳର ସରଞ୍ଜାମ ମରାମତି ଚାଲିଥିବାରୁ ଆଉ କିଛି ଦିନ ପରେ ଏହାକୁ ଖୋଲାଯିବ।