ନିର୍ଭୟା ଗଣଦୁଷ୍କର୍ମ ମାମଲା: ୭ବର୍ଷ ପୂର୍ବେ ନାବାଳକ ନେଇ ଯାଚିକା ଦାଖଲ କଲେ ଅନ୍ୟ ଅଭିଯୁକ୍ତ ପବନ

ଜାନୁୟାରୀ ୨୪ରେ ଆଗାମୀ ଶୁଣାଣୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଅଭିଯୁକ୍ତଙ୍କୁ ଫାଶୀ ଦେବା ନେଇ ସାରା ଦେଶ ଅପେକ୍ଷା କରିଥିବାବେଳେ ପ୍ରତିଦିନ ନୂଆ ମୋଡ ନେଉଛି ଏହି ମାମଲା । ତେବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତ ପବନ କୁମାର ଗୁପ୍ତା ୭ବର୍ଷ ପୂର୍ବେ ଅର୍ଥାତ୍ ୨୦୧୨ରେ ନାବାଳକ ଥିବା ଦାବୀ କରି ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଏହା ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣୀ କରାଯାଇ ଆଗାମୀ ଶୁଣାଣୀ ପାଇଁ ଆସନ୍ତା ଜାନୁୟାରୀ୨୪କୁ ତାରିଖ ଦିଆଯାଇଛି ।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ କୁମାର ଗୁପ୍ତା ସାତ ବର୍ଷ ପୂର୍ବରୁ ଅର୍ଥାତ ୨୦୧୨ ଘଟିଥିବା ଘଟଣା ସମୟରେ ନାବାଳକ ଥିବା ଦାବୀ କରି ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଦୋଷୀ ପବନ କୁମାର ଗୁପ୍ତାଙ୍କ ଜଣେ ଓକିଲ ଏପି ସିଂହ କହିଛନ୍ତି ଯେ, ତାଙ୍କୁ ଏହି ମାମଲାରେ ଦସ୍ତାବିଜ ଫାଇଲ କରିବା ପାଇଁ ସମୟର ଆବଶ୍ୟକତା ରହିଛି ।

ତେବେ ନିର୍ଭୟା ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ୨୦୨୦ ମସିହା ଜାନୁୟାରୀ ୨୪ ପରେ ହିଁ ଫାଶୀ ଦଣ୍ଡ ମିଳିପାରେ । ଏହା ଛଡ଼ା ଯଦି ଦୋଷୀ ପବନ ଗୁପ୍ତାଙ୍କ ୨୦୧୨ରେ ନାବାଳକ ହୋଇଥିବା ସତ୍ୟତା ଆସେ ତାଙ୍କୁ ମୁକ୍ତ କରାଯିବାର ମଧ୍ୟ ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ୱର ୧୬ ତାରିଖରେ ଦିଲ୍ଲୀରେ ନିର୍ଭୟା ସହ ଗଣ ଦୁଷ୍କର୍ମ ହୋଇଥିଲା, ଏବଂ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ୱର ୨୯ ତାରିଖରେ ମୃତ୍ୟୁ ହୋଇଥିଲା ।