ଜାତୀୟ ରାଜପଥ ପ୍ରକଳ୍ପ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଆରୋପ କରିଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରେ ଏହି ପ୍ରକଳ୍ପ ଗୁଡିକର ସମୀକ୍ଷା କରି କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନ କ୍ଷମତା ବୃଦ୍ଧି ପୂର୍ବକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଗୁଡିକ ପୂର୍ଣ୍ଣାଙ୍ଗ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ରାଜପଥ ମୁଖ୍ୟ ପ୍ରବନ୍ଧକ ଶ୍ରୀ ରାମପ୍ରସାଦ ପଣ୍ଡା ଜଣାଇଥିଲେ ଯେ, ପ୍ରକଳ୍ପ ଗୁଡିକ ବାପଦରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ବିଷୟ ପଡିନାହିଁ । ରାଜ୍ୟ ସରକାରଙ୍କ ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ରାଜ୍ୟରେ ବର୍ତମାନ ୨୨ଟି ନବୀକରଣ ଏବଂ ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ୩୬୬ କିମି ଜାତୀୟ ରାଜପଥକୁ ୪ ଲେନ ଓ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବର୍ତମାନ ସୁଦ୍ଧା ୧୭୩ କିମିର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । କ୍ଷେତ୍ରସ୍ତରରେ ଚୁକ୍ତିରାଜିନାମା ପତ୍ରର ନିୟମିତ ଅନୁଧ୍ୟାନ ଓ ଯାଂଚ ପୂର୍ବକ ନିର୍ମାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ପାଣିକୋଇଲି-ରିମୁଳି ଜାତୀୟ ରାଜପଥ ନଂ- ୨୧୫(ନୂଆ ନଂ-୨୦) ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ମୁଖ୍ୟ ପ୍ରବନ୍ଧକ ଶ୍ରୀ ପଣ୍ଡା ଜଣାଇଥିଲେ, ଏହି ପ୍ରକଳ୍ପର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ କରାଯାଇଛି । ସମୁଦାୟ ୧୬୬ କିମି ମଧ୍ୟରୁ ୧୫୨କିମି ରାସ୍ତାକୁ ୪ ଥାକିଆ ଏବଂ ୧୪ କିମି ରାସ୍ତାକୁ ୨ ଥାକିଆ କରା ସରିଛି । ପ୍ରକଳ୍ପ ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିଛି । କେବଳ କଂଟ୍ରାକ୍ଟ ନେଇଥିବା ସଂସ୍ଥା ସ୍ତରରେ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ୭କିମି ବ୍ୟାରେଜ୍ ୱେ, ୩ଟି ପୋଲ, ଗୋଟିଏ ହାତୀଯିବା ଅଣ୍ଡର ପାସ୍ ଏବଂ ୯କିମି ସର୍ଭିସ ରୋଡ ନିର୍ମାଣ ବାକି ଅଛି । ଖୁବ୍ ଶୀଘ୍ର କଂଟ୍ରାକ୍ଟ ସ୍ତରରେ ସମସ୍ୟା ସମାଧାନ କରି ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରାଯିବ ।

ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପଣ୍ଡା କହିଥିଲେ ଯେ, ନୂଆ ପ୍ରକଳ୍ପ ଭାବେ ରାୟପୁର-ବିଶାଖାପାଟଣା ରାସ୍ତାର ପ୍ରସ୍ତାବ ରହିଛି । ଏହି ଜାତୀୟ ରାଜପଥର ପ୍ରାୟ ୨୪୦ କିମି ଓଡ଼ିଶା ମଧ୍ୟ ଦେଇ ଗତି କରିବ । ଏହା ମୁଖ୍ୟତଃ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ମଧ୍ୟ ଦେଇ ଯିବ ଏବଂ ଓଡ଼ିଶାରେ ଏହା ଏକ ୬ ଥାକିଆ ଗ୍ରୀନ୍ ଫିଲ୍ଡ ପ୍ରକଳ୍ପ ହେବ ।

ପୂର୍ତ ବିଭାଗ ଶାସନ ସଚିବ ଶ୍ରୀ କ୍ରିଷ୍ଣନ କୁମାରଙ୍କ ସମେତ ଜାତୀୟ ରାଜପଥ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।