ମହାନଦୀ ବିବାଦ: ସେପ୍ଟେମ୍ବର ୨୮ରେ ପରବର୍ତ୍ତୀ ଶୁଣାଣୀ

ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି । ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ନ ହୋଇ ପାରିଥିବାରୁ ଟ୍ରିବ୍ୟୁନାଲ ଛତିଶଗଡ଼ ପକ୍ଷର ଶୁଣାଣୀକୁ ଘୁଞ୍ଚାଇ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୨୮କୁ ଦିନ ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ ।

ଅଣମୌସୁମୀ ସମୟରେ ଛତିଶଗଡ଼ ମହାନଦୀ ଜଳ ଛାଡ଼ିବା ନେଇ ଓଡ଼ିଶା ପକ୍ଷରୁ ହୋଇଥିବା ଅନ୍ତରୀଣ ଆବେଦନର ଆଜି ଜଷ୍ଟିସ ଏ ଏମ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଶୁଣାଣୀ ଶେଷ ହୋଇଛି । ଆଜିର ଶୁଣାଣିରେ ଓଡ଼ିଶା ସମସ୍ତ ତଥ୍ୟ ଦାଖଲ କରିଥିବା କହିଛନ୍ତି ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା । ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ନିଜର ପକ୍ଷ ରଖିବାକୁ ଟ୍ରିବ୍ୟନାଲ ଅପର ପକ୍ଷ ଯଥା ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଓଡ଼ିଶାକୁ କହିଛନ୍ତି ।

ମାତ୍ର ଉଭୟ ପକ୍ଷ ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ କରି ପାରି ନ ଥିବା ଟ୍ରିବ୍ୟୁନାଲଙ୍କ ନିକଟରେ ଦର୍ଶାଇଛନ୍ତି । ତେଣୁ ଛତିଶଗଡ଼ ପକ୍ଷରୁ ହୋଇଥିବା କାଉଣ୍ଟର୍‌ ଆବେଦନର ଶୁଣାଣୀ ଆଜି ହୋଇ ପାରି ନାହିଁ । ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ହେବ । ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇପାରି ନାହିଁ । ମୌସୁମୀ ସମୟରେ ଜଳର ପରିମାଣକୁ ଉଚିତ ଆକଳନ କରାଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ମତ ରଖିଛନ୍ତି । ସେଥିପାଇଁ ଅଣ ମୌସୁମୀ ସମୟରେ ପରିଦର୍ଶନ କରି ସତ୍ୟପାଠ ଦାଖଲ କରାଯିବ ଆଡ଼୍‌ଭୋକେଟ୍‌ ଜେନେରାଲ କହିଛନ୍ତି । ଏହା ସହ ଜଳ ବିଶେଷଜ୍ଞ ବା ଆସେସର ନିଯୁକ୍ତ ବର୍ତ୍ତମାନ ଶୁଦ୍ଧ ହୋଇନାହାଁନ୍ତି ବୋଲି କୁହାଯାଇଛି ।