ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଏସଏ ବୋବଡେ

ନୂଆଦିଲ୍ଲୀ:ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରଞ୍ଜନ ଗୋଗୋଇଙ୍କ ପରେ ଜଷ୍ଟିସ୍ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ବିବଡେଙ୍କ ନାଁ ସୁପାରିଶ୍ କରିଥିଲେ। ନଭେମ୍ବର ୧୮ରେ ସେ ସିଜେଆଇ ଭାବେ ଶପଥ ଗ୍ରଗହଣ କରିବେ। 

ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବାକୁ ଯାଉଛନ୍ତି। ତାଙ୍କ ପରେ ଶରଦ ଅରବିନ୍ଦ ବୋବଡେଙ୍କ ନାମ ସୁପାରିଶ କରାଯାଇଥିଲା। ସିଜେଆଇ ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପତ୍ର ଲେଖିଥିଲେ। ଏହାପରେ ଏବେ ବୋବଡେଙ୍କ ନାମରେ ରାଷ୍ଟ୍ରପତି ମୋହର ଲଗାଇଛନ୍ତି। ଏସଏ ବୋବଡେ ନଭେମ୍ବର ୧୮ରେ ଚିଫ୍ ଜଷ୍ଟିସ୍ ଭାବରେ ଶପଥ ନେବାକୁ ଯାଉଛନ୍ତି। 

ଉଲ୍ଲେଖଯୋଗ୍ୟ, ୧୯୫୬ ଅପ୍ରେଲ ୨୬ରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ବୋବଡେ ସୁପ୍ରିମକୋର୍ଟରେ ଜଜ ଅଛନ୍ତି। ଏହା ସହ ସେ ମହାରାଷ୍ଟ୍ର, ନ୍ୟାସନାଲ ଲ ୟୁନିଭରସିଟି, ମୁମ୍ବାଇ ଓ ମହାରାଷ୍ଟ୍ର ନ୍ୟାସନାଲ ୟୁନିଭରସିଟି, ନାଗପୁରର ଚାନସେଲର ମଧ୍ୟ ଅଛନ୍ତି। ତାଙ୍କ ପିତାଙ୍କ ନାମ ଅରବିନ୍ଦ ଶ୍ରୀନିବାସ ବୋବଡେ। ଶରଦ ଅରବିନ୍ଦ ନାଗପୁର ବିଶ୍ଵବିଦ୍ୟାଳୟରୁ ବିଏ ଏବଂ ଏଲଏଲବି ଡିଗ୍ରୀରେ ପାସ୍ କରିଛନ୍ତି। ଏହାପରେ ଶରଦ ଅରବିନ୍ଦ ବୋବଡେ ଆଡିଶନାଲ ଜଜ ଭାବରେ ୨୦୦୦ ମସିହା ମାର୍ଚ୍ଚ ୨୯ରେ ବମ୍ବେ ହାଇକୋର୍ଟର ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ। 

୨୦୧୨ ମସିହା ଅକ୍ଟୋବର ୧୬ରେ ଜଷ୍ଟିସ୍ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବରେ ଶପଥ ନେଇଥିଲେ। ଏହାପରେ ୨୦୧୩ ଅପ୍ରେଲ ୧୨ରେ ଭାରତର ସୁପ୍ରିମକୋର୍ଟରେ ଭାରତ ଉଚ୍ଚ ନ୍ୟାୟାଳୟରେ ତାଙ୍କର ପଦୋନ୍ନତି କରାଗଲା। ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ୨୦୨୧ ଅପ୍ରେଲ ୨୩ରେ ଶେଷ ହେବାକୁ ଯାଉଛି। ସେ ସୁପ୍ରିମକୋର୍ଟରେ ୮ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି।