ଗୁଳିମାଡରେ ଆହତ ହୋଇ ଝିଅକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇଲେ ପିତା

ପାଟନା: ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଏଭଳି ଘଟଣା ଘଟିଛି ବିହାରର ବୀରପୁରରେ ।
ଆରଜେଡି ନେତା ରାମକୃପାଳ ମହତୋ ଝିଅ ଦାମିନୀଙ୍କୁ ବେଗୁସରାଇ ସ୍ଥିତ ପରୀକ୍ଷାକେନ୍ଦ୍ରକୁ ଇଂଟର ପରୀକ୍ଷା ଦେବାକୁ ନେଉଥିଲେ । ତେବେ ବାଟରେ ବାଇକ୍ ଧରି ଝିଅକୁ ନେଇ ଯାଉଥିବା ସମୟରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଗୁଳି ମାରି ଚାଲିଯାଇଥିଲେ । ଗୁଳି ଛାତିରେ ବାଜିବା ପରେ ରାମକୃପାଳଙ୍କର ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଏହାପରେ ଝିଅ ପିତାଙ୍କୁ ଡାକ୍ତରଖାନାକୁ ଯିବା ପାଇଁ କହିଥିଲେ । ମାତ୍ର ନିଜ କଷ୍ଟକୁ ଖାତିର ନ କରି ରାମକୃପାଳ ଝିଅର ଗୋଟିଏ ବର୍ଷ ନଷ୍ଟ ହୋଇଯିବ କହି ବାଇକ୍ରେ ପ୍ରାୟ ୬ କିମି ଧରି ପରୀକ୍ଷାକେନ୍ଦ୍ରରେ ପହଂଚିଥିଲେ । ଏହାପରେ ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।