୨୨ ରନରେ ମ୍ୟାଚ ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ପ୍ରଥମ ଦିନିକିଆରେ ଭାରତୀୟ ବୋଲରଙ୍କ ଦୁର୍ବଳ ବୋଲିଂ ଓ ଖରାପ ଫିଲ୍ଡିଂ ପାଇଁ ହାର ମିଳିଥିବା ବେଳେ ୨ୟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ସୋ ପାଇଁ ହାତଛଡା ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ । ଘରୋଇ କିୱି ଦଳର ଦକ୍ଷ ବୋଲରଙ୍କ ଆଗରେ ଆଣ୍ଠେଇଲେ ଭ୍ରମଣକାରୀ ଭାରତୀୟ ବ୍ୟାଟ୍ସମ୍ୟାନ । ଫଳରେ ୨୨ରନରେ ମ୍ୟାଚ ଜିତି ୨-୦ରେ ସିରିଜ ଉପରେ କବଜ୍ଜା କରିଛି ଘରୋଇ ଦଳ ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଓପନର ମାର୍ଟିନ୍ ଗପ୍ଟିଲ୍ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା । ଜବାବରେ ରବୀନ୍ଦ୍ର ଜାଡେଜା (୫୫) ଓ ନଭଦୀପ ସାଇନି (୪୫)ଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ୨୫୧ ରନରେ ଅଲଆଉଟ୍ ହୋଇଛି ।

ଟସ ଜିତି ପ୍ରଥମ ବୋଲିଂ ନିଷ୍ପତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ମାତ୍ର ଚେଜ ମାଷ୍ଟରଙ୍କ ପ୍ଲାନିଂ ମାରିଲା ଫେଲ । ୨୭୪ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ କ୍ରିକେଟ ଖେଳିଥିଲେ । ୧୪ ଓଭରରେ ୭୧/୪ ସ୍କୋର ଭାରତୀୟ ବ୍ୟାଟିଂର ଆଉ ଏକ ଲଜ୍ୟାଜନକ ପ୍ରଦର୍ଶନ ହୋଇଥିଲା । ଦୁଇ ଓପନର ଯୁବ ପୃଥୀ ଶ(୨୪) ଓ ମୟଙ୍କ ଅଗ୍ରୱାଲ(୩)ଙ୍କ ଖରାପ ଆରମ୍ଭ ଏବଂ ପରେ ଅଧିନାୟକ କୋହିଲ(୧୫) ଓ ଦକ୍ଷ କେଏଲ ରାହୁଲ(୪)ଙ୍କ ଫ୍ଲପ୍ ସୋ ଭାରତର ପରାଜୟ ଏକ ପ୍ରକାର ପକ୍କା କରିସାରିଥିଲା ।

ଯଦିଓ ପରେ କେଦାର ଯାଦବ (୯) ଓ ଶ୍ରେୟସ ଆୟାର(୫୨)ଙ୍କ ୨୫ରନ ଭାଗୀଦାରି ପାଳି ଭାରତୀୟ ଫ୍ୟାନ୍ସଙ୍କ ଛାତିରେ ଜୀବନ ଭରିଥିଲା । ମାତ୍ର ଆୟାରଙ୍କ ଆଉଟ ହେବା ପରେ ସବୁ ଆଶା ମଉଳି ଯାଇଥିଲା । ପରେ କ୍ରିଜକୁ ଆସିଥିଲେ ଶାର୍ଦ୍ଦୁଲ ଠାକୁର । ମାତ୍ର ସେ ସଅଳ ଆଉଟ ହୋଇ ପାଭେଲିଅନ୍ ଫେରି ଯାଇଥିଲେ । ରବୀନ୍ଦ୍ର ଜାଡେଯା(୫୫) ଓ ନବଦୀପ ସାଇନ(୪୫)ଙ୍କ ଯୋଡି ସଙ୍ଘର୍ଷ କରିଥିଲେ ମଧ୍ୟ ଭାରତକୁ ବିଜୟ ଦେଇ ପାରିନଥିଲେ ।