ରାତି ୧ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ; ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ରାତି ୧ଟାରୁ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । କାରଣ ରାତି ୧ଟାରୁ ନୂଆବର୍ଷ ଉପଲକ୍ଷେ ପୁରୀ ଶ୍ରୀମନ୍ଦିର ଖୋଲାରହିବ । ନୂଆବର୍ଷ ପାଇଁ ଶ୍ରୀମନ୍ଦିରର ସାଜସଜ୍ଜା ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ନୂଆବର୍ଷ ଦିନ ଭକ୍ତଙ୍କ ଅଧିକ ସମାଗମ ରହିବ, ଯେଉଁକାରଣରୁ ଏହି ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ବର୍ଷ ଆରମ୍ଭରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀଷ ଲାଭ କରିବାକୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ । ତେଣୁ ଆଜି ରାତି ସାଢ଼େ ୧୦ଟା ସୁଦ୍ଧା ପହୁଡ଼ ନୀତି ସଂପନ୍ନ ହେବ । ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲିବ । ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ନୂଆବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରମନ୍ଦିର ବଳୟରୁ ୭୫ମିଟର ଉଚ୍ଛେଦ ପରେ ଶ୍ରୀମନ୍ଦିର ସମ୍ମୁଖକୁ ଫୁଲ ଓ ଆଲୋକମାଳାରେ ସଜା ଯାଇଛି । ମେଘନାଦ ପାଚେରୀ ଚାରିପାଖରେ ଗଛ ଲଗାଯାଇଛି । ଏହା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ ରହିଛନ୍ତି । ଏହା ସହ ୨୭୬ଜଣ ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।