ଭୁବନେଶ୍ୱର: କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଜାରି ଲକଡାଉନ୍ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତନ ହୋଇଛି। ଆଜିଠୁ ଦେଶବ୍ୟାପୀ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ଲକଡାଉନ୍ ନିୟମକୁ ପୂର୍ବଭଳି କଡ଼ାକଡ଼ି ରଖାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗତକାଲି ନିର୍ଦ୍ଦେଶନାମା ଅନୁସାରେ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକ କେବଳ ଜୋମାଟୋ ଓ ସ୍ୱିଗି ଭଳି ସଂସ୍ଥା ମାଧ୍ୟମରେ ହୋମ୍ ଡେଲିଭରି କରିବାକୁ ଅନୁମତି ମିଳିବ। କିନ୍ତୁ ଆଜି ଜାରି ସଂଶୋଧିତ ନିର୍ଦ୍ଦେଶରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ପାଇଁ ଗତ ୧ତାରିଖର ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି କୁହାଯାଇଛି। ଗତ ଜୁନ୍ ୧ତାରିଖରେ ଜାରି ନିର୍ଦ୍ଦେଶ ଅନୁସାରେ ହୋଟେଲଗୁଡ଼ିକ ୩୦ପ୍ରତିଶତ କର୍ମଚାରୀ ସହ ଖୋଲିପାରିବ । କେବଳ ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲା ରହିବ। ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥାଗୁଡ଼ିକ ମାଧ୍ୟମରେ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକରେ ହୋମ୍ ଡେଲିଭରି ସୁବିଧା ମିଳିବ ବୋଲି କୁହାଯାଇଛି।
ସେହିପରି ଗତକାଲି ଜାରି ନିର୍ଦ୍ଦେଶରେ କେତେକ ନୂଆ କ୍ଷେତ୍ର ପାଇଁ କଟକଣା ଜାରି ହୋଇଛି। ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ସମସ୍ତ ସପିଂ ମଲ୍ ବନ୍ଦ ରହିବ ବୋଲି ଗତକାଲି ନିର୍ଦ୍ଦେଶନାମାରେ ଥିବାବେଳେ ଆଜି ସେଥିରେ ସମସ୍ତ ସିନେମା ହଲ୍ , ଜିମ୍ନାସିୟମ, ସୁଇମିଂ ପୁଲ, ପ୍ରମୋଦ ଉଦ୍ୟାନ, ଥିଏଟର, ବାର, ଅଡିଟୋରିୟମ, ସମାବେଶ ହଲ୍ ଓ ସମାନୁରୂପ ସ୍ଥାନଗୁଡ଼ିକ ସାମିଲ କରାଯାଇ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି।