ଟ୍ୱିନ ସିଟି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ; ଜାଣନ୍ତୁ କ’ଣ…..

ଭୁବନେଶ୍ୱର: ମାସ୍କ ପରେ ଏବେ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୁଲିସ ଗ୍ରହଣ କରିଛି କଡ଼ା ଆଭିମୁଖ୍ୟ। କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଂଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଏଣିକି ବଜାରଘାଟରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱ ନରଖିଲେ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ମେ ୧ ତାରଖ, ଅର୍ଥାତ୍‌ ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ନୂଆ ନିୟମ।

ନୂଆ ନିୟମ ଅନୁଯାୟୀ
• ଯେ କୌଣସି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବା ଆବଶ୍ୟକ
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ମଧ୍ୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବେ
• ଟ୍ୱିନସିଟିର ପୌର ଅଂଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା
• ଅନୁମତି ନମଳିଥିବା ଦୋକାନ ଖୋଲିବା ଉପରେ କଡ଼ା କଟକଣା
• ଗ୍ରାହକମାନେ ଦୋକାନରୁ କିଣାକିଣି କଲାବେଳେ ସାମାଜିକ ଦୂରତ୍ୱ ପାଳନ କରିବେ
• କୌଣସି ଗ୍ରାହକ ଏହାର ଉଲ୍ଲଂଘନ କଲେ ଜରିମାନା ଦେବେ
• ଯଦି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ କଥା ମାନି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖନ୍ତି, ତେବେ ସେମାନେ ପୋଲିସ ଙ୍କୁ ୧୦୦ ନମ୍ବରରେ ଜଣାଇପାରିବେ
• ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ଗ୍ରାହକମାନଙ୍କୁ ଦୋକାନି ବୁଝାଇବେ
• ସବୁ ଦୋକାନି ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
• ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ଦୋକାନ ମନା
• ଦୋକାନ ପରିସରରେ ଥିଲେ ବି ଗ୍ରାହକଙ୍କୁ ମୁହଁରୁ ମାସ୍କ ଖୋଲିବା ମନା
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ
• କୌଣସି ବ୍ୟକ୍ତି ବଜାର ଅଂଚଳରେ ଗୁଟୁଖା, ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ

କୋଭିଡ୍-୧୯ ଅଧିନିୟମ ଅନୁସାରେ କମିଶନରେଟ୍ ପୋଲିସ ଏଏସଆଇ ଓ ଉପରିସ୍ଥ କର୍ମଚାରୀମାନଙ୍କୁ ଜରିମାନା ଆଦାୟ ପାଇଁ କ୍ଷମତା ଦେଇଛନ୍ତି। ଆସନ୍ତା କାଲିଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ।