ରାଜ୍ୟ ସରକାର ଜାରି କଲେ ନୂଆ ନିର୍ଦ୍ଦେଶନାମା; ଜାଣନ୍ତୁ କ’ଣ ରହିଛି

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଫାଇନ ରାଶିକୁ ବୃଦ୍ଧି କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କହିବା ଅନୁସାରେ, ମାସ୍କ ଠିକ ଭାବେ ନ ପିନ୍ଧିଲେ ପ୍ରଥମ ଦୁଇଟି ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ହଜାର ଲେଖାଏ ଫାଇନ ଦେବାକୁ ପଡ଼ିବ। ଏହାପରେ ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ବାହାଘର ଗାଇଡଲାଇନ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ବାହାଘର ହେଉଥିବା ମଣ୍ଡପକୁ ସିଲ୍ କରାଯିବ।

୧୦ ହଜାର ଟଙ୍କା ଜୋରିମାନା ରାଶିକୁ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ବୃଦ୍ଧି କରାଯିବ। ସାମାଜିକ ଦୂରତା ଭାଙ୍ଗୁଥିବା ଦୋକାନକୁ ସିଲ କରାଯିବ। ପ୍ରଥମ ଥର ନିମୟ ଭଙ୍ଗ କଲେ ଜୋରିମାନା ଓ ୧ ସପ୍ତାହ ସିଲ୍ କରାଯିବ। ପୁନଶ୍ଚଦ୍ୱିତୀୟ ଥର ଭଙ୍ଗ କଲେ ଦୋକାନ ମାସେ ସିଲ୍ ଓ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି, ଲୋକଙ୍କ ଜୀବନ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆମର ମୃତ୍ୟୁ ହାର ସାରା ଭାରତରେ ସର୍ବନିମ୍ନ। ଆରୋଗ୍ୟ ହାର ବେଶୀ। ଯୁଦ୍ଧର କେଉଁ ସ୍ଥାନରେ ପହଞ୍ଚିଛୁ ଏବେ କହିବା ଠିକ ହେବନି। ତେବେ ଯୁଦ୍ଧର ଫଳାଫଳ ଉତ୍ସାହଜନକ ଥିବା ଆମେ ଦେଖୁଛୁ। ଏହା ଏକ ଚାଲେଞ୍ଜିଂ ରୋଗ, ପରିଚାଳନା କରିବାକୁ ବହୁ ସମସ୍ୟା ରହୁଛି।

ଆମେ ଧୀରେଧୀରେ କଟକଣା ହଟାଉଛୁ, ଟ୍ରେନ ଚଳାଚଳ କଲାଣି। ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଓଡ଼ିଶାକୁ ଆସୁଛନ୍ତି। ଜୀବନ ଜୀବିକାକୁ ସ୍ୱାଭାବିକ କରିବାକୁ ଆମକୁ କୋହଳ କରିବାକୁ ପଡ଼ିବ। ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି। ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି ବୋଲି ସେ କହିଛନ୍ତି।