ଆଜି ନେତାଜୀ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ନେତାଜୀ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜିର ଦିନରେ ୧୮୯୭ ମସିହା ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ଆଜି ବି ଅନେକ ପ୍ରଶ୍ନ ଉଠୁଛି ।

ଗୃହମନ୍ତ୍ରାଳୟର ଜବାବ ଅନୁସାରେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ନେତାଜୀଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଭାରତ ସରକାରଙ୍କ ଏହି କଥାରେ ନେତାଜୀଙ୍କ ପରିବାର ଏକମତ ହୋଇ ନାହାନ୍ତି । ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ କହୁନ୍ତି, କେନ୍ଦ୍ର ସରକାର ଏଭଳି କେମିତ ଜବାବ ଦେଇପାରୁଛନ୍ତି । ଆରଟିଆଇର ଜବାବରେ କେନ୍ଦ୍ର ସରକାର ନେତାଜୀଙ୍କ ମୃତ୍ୟୁ ସହିତ ଜଡ଼ିତ ୩୭ଟି ଫାଇଲ ପୂର୍ବରୁ ଜାରି କରିଛନ୍ତି । ଏଥି ସହିତ ଏଥିରେ ଶାହନବାଜ କମିଟି, ଜଷ୍ଟିସ ଜିଡି ଖୋସଲା କମିଶନ ଓ ଜଷ୍ଟିସ ମୁଖାର୍ଜୀ କମିଶନ ରିପୋର୍ଟ ମଧ୍ୟ ଦିଆଯାଇଛି । 

ଚନ୍ଦ୍ର କୁମାର ବୋଷ ଏହି ମାମଲାରେ ଗୃହମନ୍ତ୍ରାଳୟକୁ ଭୁଲ ମାଗିବାକୁ ମଧ୍ୟ କହିଥିଲେ ଏବଂ ଏଥି ସହିତ ଏସଆଇଟି ଗଠନ କରିବାକୁ ଅନୁରୋଧ କରିଥିଲେ । ତାଇୱାନରେ ମିଳିଥିବା ନେତାଜୀଙ୍କ ଅସ୍ଥିକୁ କେନ୍ଦ୍ରସରକାର ଦ୍ୱାରା ଡିଏନଏ ଟେଷ୍ଟ କରିବାକୁ ମଧ୍ୟ କହିଥିଲେ ।

ତଥ୍ୟ ଅନୁସାରେ ୧୯୪୫ ଅଗଷ୍ଟ ୧୮ରେ ନେତାଜୀ ଉଡ଼ାଜାହାଜରେ ମଂଚୁରିଆ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ମାତ୍ର ଜାପାନର ଏକ ସଂସ୍ଥା ସେହି ବର୍ଷ ଅଗଷ୍ଟ ୨୩ରେ ଖବର ଜାରି କରିଥିଲା ଯେ, ନେତାଜୀଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ଫଳରେ ନେତାଜୀଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଏବେବି ନେତାଜୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । କାରଣ ନେତାଜୀଙ୍କ ମୃତ୍ୟୁର ସଠିକ ପ୍ରମାଣ ମିଳିପାରି ନାହିଁ ।