ଜୁନ୍ ୧୪ ବଲିଉଡ୍ ତଥା ଦେଶବାସୀଙ୍କ ପାଇଁ ଆଣିଦେଇଥିଲା ଏକ ଦୁଃସମ୍ବାଦ; ସଭିଁଙ୍କ ପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ଯା କରିଛନ୍ତି । ଏହି ଖବରଟି ଦେଶର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକ ମଧ୍ଯରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ନିଜର ପ୍ରିୟ କଳାକାରକୁ ହରାଇ ସଭିଁଏ ମର୍ମାହତ ଏବଂ ସ୍ତବ୍ଧ ହୋଇଥିଲେ । ଠିକ୍ ଏହି ସମୟରେ କିଛି ବ୍ଯକ୍ତିବିଶେଷ ସୁଶାନ୍ତଙ୍କୁ କିଛି ସିନେମା ନିର୍ମାଣ କମ୍ପାନୀ ତଥା ପ୍ରଯୋଜନା ସଂସ୍ଥା ବ୍ଯାନ କରିଥିବା ସହ ସେ ନେପୋଟିଜମର ଶିକାର ହୋଇଥିବା ନିଜ ଅଭିବ୍ଯକ୍ତିରେ କହିଥିଲେ । ଏହା ପରେ ସାରା ଦେଶରେ ବଲିଉଡର ପ୍ରଶଂସକଙ୍କ ମହଲରେ ନେପୋଟିଜମ୍ ବିରୋଧରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
ଏହି ବିଷୟକୁ ନେଇ ତର୍ଜମା କରିବା ପୂର୍ବରୁ ଆସନ୍ତୁ ଜାଣିନେବା “ନେପୋଟିଜମ୍”ର ମାନେ କଣ ? ନେପୋଟିଜମ୍ ଅର୍ଥ ହେଉଛି ସ୍ୱଜନ ତୋଷଣ; ଅର୍ଥାତ ଗୋଟିଏ ପିତା ନିଜ ସନ୍ତାନକୁ ନିଜ ପରିଚିତ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବା ପାଇଁ ସହଯୋଗ କରିବା । ଭାରତରେ ନେପୋଟିଜମର ଇତିହାସ ଅତ୍ଯନ୍ତ ପୁରୁଣା; ରାମାୟଣ ଓ ମହାଭାରତ କାଳରୁ ଜାରି ରହିଛି ଏହି ପ୍ରଥା । ତ୍ରେତୟା ଯୁଗରେ ମହାରାଜ ଦଶରଥ ନିଜ ପ୍ରିୟ ତଥା ଜ୍ଯୋଷ୍ଠ ପୁତ୍ର ଶ୍ରୀରାମଙ୍କୁ ଅଯୋଧ୍ଯାର ରାଜା ରୂପେ ଅଭିଷିକ୍ତ କରିବାକୁ ଚାହୁଁଥିଲେ; ଯାହା ପ୍ରମାଣ କରୁଛି ସେହି ସମୟରେ ମଧ୍ଯ ନେପୋଟିଜମ୍ ଥିଲା । ଠିକ୍ ସେହିଭଳି ଦ୍ୱାପର ଯୁଗରେ ଧ୍ରୃତରାଷ୍ଟ୍ରଙ୍କ ପୁତ୍ରମୋହ ତଥା ସିଂହାସନମୋହ ମହାଭାରତ ଯୁଦ୍ଧର କାରକ ଓ କାରଣ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏହିଠାରେ ଏହାର ପରିସମାପ୍ତି ଘଟିନାହିଁ ବରଂ ଭାରତୀୟ ରାଜନୈତିକ ଇତିହାସରେ ଯେତେ ରାଜା ଓ ମହାରାଜ ରହିଛନ୍ତି ସଭିଁଏ ନିଜ ଶାସନକାଳ ଶେଷରେ ନିଜ ପୁତ୍ରଙ୍କୁ ଶାସନଗାଦିରେ ଅଭିଷିକ୍ତ କରିଛନ୍ତି । ଏହାର ଉଦାହରଣ ବାବାର ଠାରୁ ଆରମ୍ଭ କରି ଔରଙ୍ଗଜେବ ପର୍ଯ୍ଯନ୍ତ ଦେଖିବାକୁ ମିଳେ । କେବଳ ଏତିକି ନୁହେଁ ଇଲତୁତମିସଙ୍କ ମୃତ୍ଯୁପରେ ତାଙ୍କରି ଝିଅ “ରାଜିଆ ସୁଲତାନା” ଦିଲ୍ଲୀର ଶାସନ ଭାର ଗ୍ରହଣ କରିଥିଲେ ଏବଂ ଭାରତର ପ୍ରଥମ ମହିଳା ଶାସକ ରୂପେ ପରିଗଣିତ ହୋଇଥିଲେ ।
ଆଜିର ଏକବିଂଶ ଶତାବ୍ଦୀରେ ମଧ୍ଯ ଗୋଟିଏ ପିତା ନିଜ ସନ୍ତାନକୁ ନିଜଠାରୁ ଆଗରେ ଦେଖିବାକୁ ଚାହେଁ । ଯଥା ଯଦି ଗୋଟିଏ ବ୍ଯକ୍ତି ପୋଲିସ୍ ବିଭାଗରେ କନେଷ୍ଟେବଳ ଭାବେ କାର୍ଯ୍ଯରତ ତେବେ ସର୍ବଦା ସେ ନିଜ ସନ୍ତାନକୁ ନିଜଠାରୁ ଉପରିସ୍ଥ ଅଧିକାରୀ ଭାବେ ପ୍ରତିଷ୍ଠିତ କରିବାର ସ୍ୱପ୍ନ ଦେଖିଥାଏ । ଏହି ସ୍ୱପ୍ନକୁ ପୂରଣ କରିବାକୁ ଯାଏ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ସୁପାରିଶ କରି ନିଜ ସନ୍ତାନକୁ ଉକ୍ତ ସ୍ଥାନରେ ପହଞ୍ଚାଇଥାଏ କିନ୍ତୁ ନିଜର ଆଶା-ଅଭିଳାଷା ପୂରଣ କରିବାକୁ ଯାଇ ସେ ଅନେକ ଯୋଗ୍ଯ ବ୍ଯକ୍ତିର ଆଶାକୁ ଧୂଳିସାତ କରିଥାଏ; ତାହା ସେ କେବେ ହୃଦୟଙ୍ଗମ କରିପାରେନା ।
ଯଦି ଆମେ ବଲିଉଡରେ ନେପୋଟିଜମ୍ କଥା କହିବା ତେବେ ଏହା ମଧ୍ଯ ବେଶ ପୁରୁଣା । ବଲିଉଡ୍ ସିନେଜଗତର ଭୀଷ୍ମ ପିତାମହ କୁହାଯାଉଥିବା “ରାଜ କପୁର” ନିଜ ସନ୍ତାନମାନଙ୍କୁ ସିନେମାରେ ପ୍ରତିଷ୍ଠିତ କରିବା ପାଇଁ ଆରମ୍ଭ କରିଥିବା ପରମ୍ପରା ଆଜି ପର୍ଯ୍ଯନ୍ତ ଜାରି ରହିଛି । ଏହା ବ୍ଯତୀତ କୁହାଯାଏ ଯଦି ଆପଣଙ୍କ ବଲିଉଡରେ ନେଟୱର୍କ ଶକ୍ତ ଅଛି ଏବଂ ଆପଣଙ୍କ ଉପରେ କୌଣସି ଗଡ୍ ଫାଦରଙ୍କ ଆଶୀର୍ବାଦ ରହିଛି ତେବେ ଆପଣଙ୍କ ବଲିଉଡରେ ତିଷ୍ଠିବା ସହଜ ଓ ଭବିଷ୍ଯତ ଆଲୋକିତ ନଚେତ ଅସମ୍ଭବ । ବଲିଉଡର ରୋମାଞ୍ଚକର ଦୁନିଆରେ ପାଦ ଦେବା ଠାରୁ ଆରମ୍ଭ କରି ଏଠାରେ ତିଷ୍ଠିବା ଷ୍ଟାରକିଡ଼ଙ୍କ ପାଇଁ ସହଜ; କିନ୍ତୁ ନୱାଜୁଦ୍ଦିନ ସିଦ୍ଧିକୀଙ୍କ ଭଳି ଉଚ୍ଚକୋଟୀର କଳାକାର ନିଜର ପ୍ରଥମ ସିନେମାରେ ସ୍ୱଳ୍ପ ସେକେଣ୍ଡର ଭୂମିକାରେ ଦେଖାଯାଆନ୍ତି ଏବଂ ନିଜ କଳା ଓ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ ୧୨ ବର୍ଷର କଷ୍ଟକର ଯାତ୍ରା କରିବାକୁ ପଡ଼ୁଛି । କଥାରେ ଅଛି; ଯଦି ଆପଣଙ୍କୁ କୌଣସି ବସ୍ତୁ ସହଜରେ ମିଳିଯାଏ ତେବେ ଆପଣଙ୍କୁ ତାହାର ଉଚିତ ମୂଲ୍ଯ ଜଣାନଥାଏ । ଠିକ୍ ସେହିପରି ଷ୍ଟାରକିଡମାନେ ବାରମ୍ବାର ସିନେମାରେ ବିଫଳ ହେବା ସତ୍ତ୍ୱେ ସେମାନଙ୍କୁ ସିନେମା ମିଳିଥାଏ କିନ୍ତୁ ଏହା ଅଣଷ୍ଟାରକିଡମାନଙ୍କ ପକ୍ଷରେ ଅସମ୍ଭବ । ଯଦି ଗୋଟିଏ ଅଣଷ୍ଟାରକିଡର ପ୍ରଥମ ସିନେମା ବିଫଳ ହୁଏ ତେବେ ତାକୁ ଚା’ରୁ ମାଛିକୁ କାଢି ବାହାରକୁ ଫୋପାଡ଼ିବା ଭଳି ବଲିଉଡରୁ ବାହାର ରାସ୍ତା ଦେଖାଯାଏ । ଆଗକୁ ତାକୁ ସିନେମା ମିଳିବା ତ ଦୂରର କଥା ସ୍ୱଳ୍ପ ସମୟ ମଧ୍ଯରେ ତାକୁ ବଲିଉଡ୍ ଭୁଲିଯାଏ; ଏହା ହିଁ ଆମ ସିନେଜଗତର ଅପ୍ରିୟ ସତ୍ଯ ।
ଯଦି ଆମେ ସୁଶାନ୍ତ ସିଂ ରାଜପୁତଙ୍କ କଥାକୁ ନେବା ତେବେ ଆତ୍ମହତ୍ଯା ସବୁ ସମସ୍ଯାର ସମାଧାନ ନୁହେଁ । ଭୀରୁ ଓ କାପୁରୁଷ ସଦୃଶ୍ଯ ଆତ୍ମହତ୍ଯା କରିବା ପୂର୍ବରୁ ସେ ନିଜ ପରିବାର ଏବଂ ନିଜ ବାପାଙ୍କ କଥାକୁ ଭାବିବାର ଥିଲା, ଯେଉଁମାନେ ତାଙ୍କୁ ସଫଳତା ପାହାଚ ଚଢିବାର ଦେଖିବାକୁ ଚାହୁଁଥିଲେ । ଦେଖିବାକୁ ଗଲେ ତାଙ୍କ ଏହି ଆତ୍ମହତ୍ଯା ପଛରେ ବଲିଉଡର ପ୍ରମୁଖ ଭୂମିକା ରହିଛି; ଏଣୁ ଆଜି ଲୋକମାନେ କରନ୍ ଜୋହର୍, ଆଲିଆ ଭଟ୍ଟ, ସୋନମ୍ କପୁର୍, ସଲମାନ୍ ଖାନ୍, ଟି-ସିରିଜ୍ ଓ ଏକତା କପୁର ଭଳି ପ୍ରତିଷ୍ଠିତ ତାରକାଙ୍କୁ ଘୃଣା କରୁଛନ୍ତି । ଲୋକମାନେ ଏହି କଥା ମନେ ରଖିବାକୁ ଉଚିତ ଏହି ବ୍ଯକ୍ତିମାନଙ୍କୁ ସେମାନେ ହିଁ ଆଜି ଏହି ସ୍ଥାନରେ ପ୍ରତିଷ୍ଠିତ କରିଛନ୍ତି । ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ଯା ପାଇଁ ବଲିଉଡ୍ ଯେଉଁ ରୂପେ ଦାୟୀ ଆମେ ସାଧାରଣ ଜନତା ମଧ୍ଯ ଦାୟୀ । ଯଦି ଆମେ କେଉଁ ସିନେତାରକାର ପୁଅ କେତେ ବଡ଼ ହେଲାଣି, ସେ କଣ ଖାଏ ଆଦି ବିଷୟ ଉପରେ ଧ୍ଯାନ ନଦେବା ତେବେ ଏମାନଙ୍କ ଷ୍ଟାରଡ଼ମ୍ ଶେଷ ହେବ ଏବଂ ଆମେ ଭଲ କାହାଣୀ, କଳାକାର ଓ ଚରିତ୍ରର ସିନେମା ପାଇପାରିବା । ଆମ ଦେଶରେ ଉଚ୍ଚକୋଟୀର କାହାଣୀ ଉପରେ ପର୍ଯ୍ଯବେଷିତ ସିନେମା ତୁଳନାରେ ମସଲା ସିନେମାର ବେଶ ଆଦୃତ । ଉଦାହରଣ ସ୍ୱରୂପ ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ “ସୋନଚିଡ଼ିଆ” ଚଳଚିତ୍ରର ଆୟ ଟାଇଗର ଶ୍ରଫ୍ ଓ ଅନନ୍ଯା ପାଣ୍ଡେ ଆଦି ଷ୍ଟାରକିଡ୍ ଥିବା ଚଳଚିତ୍ର “ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର୍-୨” ତୁଳନାରେ ବହୁତ କମ୍ ଥିଲା । ଠିକ୍ ସେହିପରି ଯଦି ଆମେ “କେଦାରନାଥ” ଚଳଚିତ୍ର କଥା ହେବା ତେବେ ଲୋକମାନେ ସୁଶାନ୍ତ ସିଂଙ୍କ ବଦଳରେ ସାରା ଅଲ୍ଲୀ ଖାନଙ୍କ ଅଭିନୟ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଇଥିଲେ କାରଣ ସେ ପଟୌଦି ବଂଶର ତନୟା ଓ ଛୋଟେ ନବାବ ତଥା ସୈଫ୍ ଅଲ୍ଲୀ ଖାନଙ୍କ ଝିଅ । ଏହା ପ୍ରମାଣିତ କରୁଛି ଗୋଟିଏ ସିନେମାର ସଫଳତା ପଛରେ ନେପୋଟିଜମ୍ ଓ ଷ୍ଟାରଡ଼ମର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ । ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ଯାକୁ ବ୍ରେକିଙ୍ଗ୍ ନ୍ଯୁଜ କରି ଦେଖାଉଥିବା ଗଣମାଧ୍ଯମକୁ ମଧ୍ଯ ପ୍ରଶ୍ନ ଯେଉଁ ଅଭିନେତାମାନେ ସଂଘର୍ଷ କରି ସ୍ୱପ୍ନର ସହର ମୁମ୍ବାଇରେ ସଫଳତା ପାଉଛନ୍ତି ସେମାନଙ୍କ ପ୍ରଶଂସା ଗଣମାଧ୍ଯମ କାହିଁକି କେବେ କରେନାହିଁ ?
କିନ୍ତୁ ସମସ୍ତ ଷ୍ଟାରକିଡଙ୍କ କ୍ଷେତ୍ରରେ ନେପୋଟିଜମ୍ ସଫଳ ତାହା ଭୁଲ୍ କାରଣ ନେପୋଟିଜମ ସହାୟତାରେ ବହୁତ ଷ୍ଟାରକିଡ୍ ସିନେଜଗତକୁ ଆସିଥିଲେ କିନ୍ତୁ ଆଜି ସେମାନେ ବିଫଳ କାରଣ ସେମାନଙ୍କ ନିକଟରେ କଳାର ଅଭାବ ଥିବା ହେତୁ ଜନତା ଜନାର୍ଦ୍ଦନ ସେମାନଙ୍କୁ ବହିଷ୍କାର କରିଛନ୍ତି । ଉଦାହରଣ ସ୍ୱରୂପ ଇମ୍ରାନ ଖାନ୍, ଜିଆଦ ଖାନ୍, ଈଶା ଦେଓଲ୍, ସୋନମ୍ କପୁର, ତୁଷାର କପୁର୍, ପୂଜା ଭଟ୍ଟ, ସୋହେଲ୍ ଖାନ୍, ଅରବାଜ ଖାନ୍, ସୋହା ଅଲ୍ଲୀ ଖାନ୍, ଉଦୟ ଚୋପ୍ରା ଏବଂ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ଯ ଏଥିରୁ ବାଦ ପଡ଼ିନାହାନ୍ତି । ଏଥିରୁ ସ୍ପଷ୍ଟ ଏହି ଷ୍ଟାରକିଡ୍ ମାନଙ୍କୁ ସେମାନଙ୍କ ପ୍ରଥମ ସିନେମା ମିଳିବା ସହଜ କିନ୍ତୁ ଯଦି ସେମାନଙ୍କ ନିକଟରେ ଅଭିନୟର ନିଖୁଣତା ନାହିଁ ତେବେ ସେମାନଙ୍କ ବଲିଉଡରେ ତିଷ୍ଠିବା କଷ୍ଟକର । କିନ୍ତୁ ନେପୋଟିଜମର ଦମରେ ବଲିଉଡକୁ ଆସିଥିବା କେତେକ କଳାକାର ନିଜ ବଳିଷ୍ଠ ଅଭିନୟ ମାଧ୍ଯମରେ ଜନତା ମନ ଜିଣିବାରେ ସକ୍ଷମ ହୋଇଛନ୍ତି । ଯଥା ଆମିର ଖାନ୍, ହ୍ରିତିକ୍ ରୋଶନ୍, ରଣବୀର କପୁର, ରଣବୀର ସିଂ, ଭିକି କୌଶାଲ୍ ଆଦି ଅନ୍ଯତମ । ନେପୋଟିଜମର ପ୍ରକୃତ ରଙ୍ଗ ଆମକୁ ଆୱାର୍ଡ଼ ଶୋ’ରେ ଦେଖିବାକୁ ମିଳେ ଯେଉଁଠି ଅଭିନେତାମାନେ ନିଜ ପ୍ରତିପତ୍ତି ଓ ପ୍ରତିଷ୍ଠାତାକୁ ବ୍ଯବହାର କରି ନିଜ ପିଲାଙ୍କୁ ପୁରସ୍କାର ହାସଲ କରିବାରେ ସାହାଯ୍ଯ କରନ୍ତି । ଯେଉଁଠାରେ “ଛିଛୋରେ” ଓ “କେଶରୀ” ଆଦି ସତ୍ଯ ଘଟଣାରେ ଆଧାରିତ ଉଚ୍ଚକୋଟୀର ଚଳଚିତ୍ର ବଦଳରେ “ଗଲିବୟ”କୁ ପୁରସ୍କୃତ କରାଯାଏ । କୁହାଯାଏ ଜଣେ କଳାକାରକୁ ଆଗକୁ ବଢିବା ପାଇଁ ପୁରସ୍କାର ତାକୁ ପ୍ରେରଣା ଦେଇଥାଏ । କିନ୍ତୁ ଯଦି ଉଚ୍ଚକୋଟୀର ଓ ନିଖୁଣ ଅଭିନୟ ସତ୍ତ୍ୱେ ଅନ୍ଯ କଳାକାରକୁ ପୁରସ୍କାର ଦିଆଯାଏ ତେବେ ଭଲ କଳାକାରଟିଏ ଭାଙ୍ଗିପଡ଼ିଥାଏ ।
ଆଜିକାଲି କଳା ଓ କଳାକାରକୁ ସମ୍ମାନ ଦେବା ସହ ଉପଯୁକ୍ତ କାହାଣୀ ଆମକୁ “ଓଟିଟି” ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ଏହାକୁ ନେଇ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ନିଜର ଏକ ସାକ୍ଷାତକାରରେ କହିଥିଲେ ଯଦି ତାଙ୍କ ଅଭିନୀତ ସିନେମାଗୁଡ଼ିକ ରିଲିଜ ନହୁଏ ତେବେ ସେ ଆଗାମୀ ଦିନରେ ଡ଼ିଜିଟାଲ୍ ପ୍ଲାଟଫର୍ମରେ ନିଜର ଅଭିନୟର ଯାଦୁ ଦେଖାଇବେ । କେବଳ ଓଟିଟି ନୁହଁ ବରଂ ୟୁଟ୍ଯୁବ୍ ମାଧ୍ଯମରେ ମଧ୍ଯ ଅଭିନେତାମାନେ ନିଜ ଅଭିନୟର ନିଖୁଣତା ଦର୍ଶାଇବାର ସୁଯୋଗ ପାଉଛନ୍ତି ।
ନେପୋଟିଜମ୍ କେବଳ ବଲିଉଡରେ ହିଁ ନୁହେଁ ବରଂ ଅନ୍ଯ ସମସ୍ତ ସିନେ ଇଣ୍ଡଷ୍ଟ୍ରୀରେ ମଧ୍ଯ ଦେଖିବାକୁ ମିଳେ । କଳାକ୍ଷେତ୍ର ବ୍ଯତୀତ ନେପୋଟିଜମର ଭୂମିକା ରାଜନୀତିରେ ମଧ୍ଯ ଗୁରୁତ୍ୱପୂର୍ଣ୍ଣ । ପିତା-ମାତା ଶାସନ ଲାଳସାରେ ନିଜ ସନ୍ତାନମାନଙ୍କୁ ରାଜନୈତିକ ରଣାଙ୍ଗନରେ ଓଲ୍ହାଇ ଜିତୁଛନ୍ତି । କିନ୍ତୁ ଯଥାର୍ଥରେ କହିବାକୁ ଗଲେ ଏମାନେ ବିଜୟ ଲାଭ କରି ମଧ୍ଯ ନିଜ ନିର୍ବାଚନମଣ୍ଡଳୀ କିମ୍ବା ଜନତାର ବିକାଶ କରିବାରେ ଅସମର୍ଥ । ଏଣୁ ଭାରତରେ ସବୁ ପ୍ରକାର ସମ୍ବଳ ଥାଇ ମଧ୍ଯ ଆଜି ଆମେ ପଛୁଆ । ରାଜା-ମହାରାଜା କାଳରୁ ପ୍ରଚଳିତ ଏହି ବଂଶବାଦ ପରମ୍ପରା କେବଳ ବଲିଉଡରେ ହିଁ ନୁହେଁ ଅନ୍ଯ ସମସ୍ତ କ୍ଷେତ୍ରରେ ମଧ୍ଯ ବନ୍ଦ ହେବା ଉଚିତ୍ ।
ପରିଶେଷରେ ଗୋଟିଏ କଥା ଜନତା ହେଉଛନ୍ତି ଗୋଟିଏ କଳାକାରର ପ୍ରକୃତ ଭଗବାନ କାରଣ ଜନତା ଚାହିଁଲେ କଳାକାରକୁ ଶୀର୍ଷରେ ପହଞ୍ଚାଇବେ ନଚେତ ନିମ୍ନରେ ପହଞ୍ଚାଇବେ । ଠିକ ଓ ଭୁଲର ନିର୍ଣ୍ଣୟ ମଧ୍ଯ ଆମରି ହାତରେ ଏଣୁ ସଠିକ ପନ୍ଥା ଅବଲମ୍ବନ କରିବା ଏବଂ ଭୁଲକୁ ତ୍ଯାଗ କରିବା । ଯଦି ଆମେ କୌଣସି କଳକାରର ସନ୍ତାନକୁ ସମ୍ମାନ ଦେବା ବଦଳରେ କଳାକୁ ସମ୍ମାନ ଦେବା, ଫଳରେ ଆଗକୁ ସୁଶାନ୍ତ ସିଂ ରାଜପୁତ ଭଳି ଅନ୍ଯ କୌଣସି କଳାକାର ଆତ୍ମହତ୍ଯା କରି ନିଜ ଜୀବନ ହାରିବାକୁ ବାଧ୍ଯ ହେବେନାହିଁ ॥
- ନିଗମ କୁମାର ବେହେରା
- ରାମନାଗୁଡ଼ା, ରାୟଗଡ଼ା
- ଦୂରଭାଷ – ୭୯୭୮୮୪୩୧୯୬