ନେମାଳୋ ପୀଠର ବିକାଶ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସଂପର୍କରେ ପଂଚାୟତିରାଜ, ପାନିୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳୋ ପଂଚାୟତର ଏକ ତୀର୍ଥସ୍ଥାନ ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ସ୍ଥଳୀ ଭାବେ ପରିଚିତ ।

ଅନେକ ଏହାକୁ ପଦ୍ମବନ ଭାବେ ଅବିହିତ କରିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବା ଏହି ପୀଠକୁ ଦୈନନ୍ଦିନ ପର୍ଯ୍ୟଟକ , ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଏଠାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣିରେ ଜନସମାଗମକୁ ଆଦିକୁ ଦୃଷ୍ଟିରୁ ଏହି ପୀଠର ବିକାଶ ପାଇଁ ଆଜିର ବୈଠକରେ ଗୁରୁତ୍ୱ ଆରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି ।

ଏହି ପୀଠ ଏବଂ ଏହାର ଚତୁପାଶ୍ୱର୍ର ସୌନ୍ଧର୍ଯ୍ୟ କରଣ , ଜନସାଧାରଣଙ୍କ ସୁବିଧା , ଆନନ୍ଦ ବଜାରର ଉନ୍ନତିକରଣ , ଆଲୋକୀକରଣ , ରହିବାର ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆର୍ଥିକ ବ୍ୟବସ୍ଥା ସହିତ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି । ଏ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଚୁଡାନ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ବିଧାନସଭା ସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଦେବୋତର କମିଶନର , ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ , କଟକ ଉପଜିଲ୍ଲାପାଳ , ନିଶ୍ଚନ୍ତକୋଇଲି ବ୍ଲକ୍ ଚେୟାରମ୍ୟାନ ଅଶୋକ କୁମାର ଓଝା. ବିଡିଓ ଏବଂ କଟକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ
ଥିଲେ ।
.