ଆଜିଠୁ ଏନଡିଏର ୨ୟ ପାଳି: ମୋଦୀଙ୍କ ନୂଆ ଟିମ୍‌ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ଏନଡିଏର ୨ୟ ପାଳି। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ତେବେ ମୋଦୀ ତାଙ୍କ ଟିମ୍‌ରେ କେଉଁମାନଙ୍କୁ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନ କରିବାକୁ ମୋଦୀଙ୍କୁ ଅନୁରୋଧ କରିଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦୀ ମନ୍ତ୍ରୀପଦ ଦେବେ ନାଁ ତାଙ୍କୁ ପୂର୍ବ ସ୍ଥାନରେ ରହି କାର୍ଯ୍ୟ କରିବାକୁ ହେବ ଅଥବା ସେ ମନ୍ତ୍ରୀପଦ ସହିତ ଅଧ୍ୟକ୍ଷ ପଦ ୨ଟି ଯାକ ଦାୟିତ୍ଵ ସମ୍ଭାଳିବେ ତାହାକୁ ନେଇ ନାନା ଚର୍ଚ୍ଚା ହେଉଛି।ଶପଥ ଗ୍ରହଣ ପୂର୍ବରୁ ଗତ ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଧରି ମୋଦୀ ଏବଂ ଅମିତ ଶାହ ଘନ ଘନ ବୈଠକ କରିଛନ୍ତି। ମନ୍ତ୍ରିମଣ୍ଡରେ କାହାକୁ ସାମିଲ କରାଯିବ ସେନେଇ ବିଚାରବମର୍ଶ କରିଥିବା କୁହାଯାଉଛି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ ଏନଡିଏର ତୃତୀୟ ବଡ଼ ସହଯୋଗୀ ଦଳ। ଗତଥର ଜେଡିୟୁ ସରକାର ସହିତ ନ ଥିଲା। କିନ୍ତୁ ଏଥର ସରକାରରେ ସାମିଲ ହେବ ବୋଲି ଆଶା କରାଯାଉଛି। ଏନଡିଏ ଉଚ୍ଚ ପଦାଧିକାରୀଙ୍କ ସହ ମଧ୍ୟ ନିତିଶ ଆଲୋଚନା କରିଛନ୍ତି।ନୂଆ ମନ୍ତ୍ରିମଣ୍ଡଳରେ ଜେଟ୍‌ଲିଙ୍କୁ ବାଦ୍‌ ଦେଇ ଅନ୍ୟ ବରିଷ୍ଠ ନେତାମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଶା କରାଯାଉଛି। ଗତଥର ଅରୁଣ ଜେଟ୍‌ଲୀ ଅସୁସ୍ଥ ହେବାରୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ଵ ନେଇଥିଲେ। କିନ୍ତୁ ଯଦି ଶାହଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଏ ତେବେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବା ସମ୍ଭାବନା ଅଧିକ ରହିଛି। ତାମିଲନାଡୁର ସୂଚନା ଓ ପ୍ରକାଶନ ମନ୍ତ୍ରୀ କାଦମ୍ବୁର ସି. ରାଜୁ କହିଛନ୍ତି, ଲୋକସଭା ନିର୍ବାଚନରେ ବିଜେପି ଏଆଇଏଡିଏମକେ ସହିତ ମେଣ୍ଟ କରିଥିଲା। ତେଣୁ ମୋଦୀ ସରକାରରେ ଏଆଇଏଡିଏମକେ ନେତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେହିପରି ବିଜେପିର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟରୁ ନବନିର୍ବାଚିତ ସାଂସଦଙ୍କୁ ମନ୍ତ୍ରିପଦ ମିଳିବାର ସମ୍ଭାବନା ରହିଛି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦୀ ଏବଂ ତାଙ୍କ ଟିମ୍‌କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଦେଶ ବିଦେଶର ୬୦୦୦ ଅତିଥି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିମ୍‌ଷ୍ଟେକ(ବାଂଲାଦେଶ, ଭାରତ, ମ୍ୟାନମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୂଟାନ)ର ନେତାମାନଙ୍କ ସହିତ ମରିସସ୍‌ର ପ୍ରଧାନମନ୍ତ୍ରୀ ଏବଂ କିରଗିଜସ୍ତାନର ରାଷ୍ଟ୍ରପତି ମଧ୍ୟ ସମାରୋହରେ ଯୋଗଦେବେ।ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁ-ଟର୍ନ ନେଇ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ବୋଲି କହିଛନ୍ତି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ୫୪ ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ସେ ଏଥିରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ତେବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଏଥିରେ ଯୋଗଦେବେ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି।