ଝାଡ଼ଖଣ୍ଡ ନିର୍ବାଚନ: ଭୋଟିଂବେଳେ ବୋମାରେ ସେତୁ ଉଡ଼ାଇଲେ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବାବେଳେ ନକ୍ସଲ ହିଂସାକାଣ୍ଡ କରିଛନ୍ତି | ନକ୍ସଲମାନେ ଗୁମଲା ଜିଲ୍ଲା ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ଗୋଟିଏ ପୋଲ(ସେତୁ)କୁ ବୋମାରେ ଉଡାଇ ଦେଇଛନ୍ତି । ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ମତଦାନ ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି ନକ୍ସଲ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କାହାର ଜୀବନହାନି ଘଟିନାହିଁ | ତେବେ ନକ୍ସଲଙ୍କ ବିସ୍ଫୋରଣ ସତ୍ୱେ ମତଦାନରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ ।

ପୁଲିସ ଉକ୍ତ ଅଞ୍ଚଳରେ ପହଂଚି କମ୍ବିଙ୍ଗ୍ ଅପରେସନ୍ ଆରମ୍ଭ କରିଛି । ନିର୍ବାଚନକୁ ବିରୋଧ କରୁଥିବା ନକ୍ସଲ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏଭଳି କରିଛନ୍ତି | ଏଠାରେ ସୂଚନା ଥାଉ କି ଆଜି ସକାଳ ୭ଟାରୁ ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ରାଜ୍ୟର ୬ଟି ଜିଲ୍ଲାରେ ୧୩ ଟି ଆସନ ପାଇଁ ମତଦାନ ଚାଲିଛି |

ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା । ମୈଦାନରେ ଥିବା ୧୮୯ ଜଣ ପ୍ରାର୍ଥୀ ଓହ୍ଲାଇଥିବାବେଳେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ କଡାକଡି କରାଯାଇଛି ।