ପୁଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପପୁଲୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ରାତିରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୩ ଜଣଙ୍କ ପରିଚୟ ଜଣାପଡ଼ିଛି । ସେମାନେ ହେଲେ କାଲିମାଳି ଡିଭିଜନର ଉଙ୍ଗା ସୋଢ଼ି, ମାସେ ମାଢ଼ି ଓସୀମା କେଣ୍ଡୁକ୍ରା । ମାଓବାଦୀଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନେଇ ପୁଲିସ ମହାନିର୍ଦ୍ଦେଶ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଭୁବନେଶ୍ୱରରେ ସୂଚନା ଦେଇଛନ୍ତି । ଗତ କିଛିବର୍ଷ ମଧ୍ୟରେ ମାଓବାଦୀଙ୍କୁ ଦମନ ପାଇଁ ଓଡ଼ିଶାରେ ହୋଇଥିବା ଅପରେଶନ ଗୁଡ଼ିକ ମଧ୍ୟରୁ ଏହା ଶ୍ରେଷ୍ଠ ବୋଲି ଡିଜିପି କହିଛନ୍ତି । ତେବେ ଏହି ଅପରେଶନ ବେଳେ ଡିଭିଜନାଲ କମିଟି ସଦସ୍ୟ ରଣଦେବ ଫେରାର ହେବାରେ ସଫଳ ହୋଇଛି । ତାକୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।

ପପୁଲୁର ଅଞ୍ଚଳରେ ମାଓବାଦୀଙ୍କ ଶିବିର ଥିବା ଖବରପାଇ ଏସ୍ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ପୁଲିସକୁ ଦେଖି ମାଓବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯିବା ଫଳରେ ପୁଲିସ ପାଲଟା ଜବାବ ଦେଇଥିଲା । ଏହାପରେ ପୁଲିସ ଘଟଣାସ୍ଥଳରେ ତଲାସୀ କରିବା ବେଳେ ୫ ଜଣ ମାଓବାଦୀଙ୍କ ମୃତ ଦେହ ମିଳିଥିଲଶ । ଘଟଣାସ୍ଥଳରୁ ଗୋଟାଏ ଲ୍ୟାଣ୍ଡମାଇନ, ୨ଟି ଇନ୍ସାସ ବନ୍ଧୁକ, ଗୋଟିଏ ଏସଏଲଆର ଓ ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ୬ ଟି କିଟ୍ ବ୍ୟାଗ, ଔଷଧପତ୍ର, ବ୍ୟାନର, ପୋଷ୍ଟର, ବୋମା ଓ ନିତ୍ୟବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟି ଅଧୀନସ୍ଥ ମାଲକାନଗିରି- କୋରାପୁଟ-ବିଶାଖାପାଟଣା ଡିଭିଜିନାଲ କମିଟିରେ ଏହି ଦଳ କାର୍ଯ୍ୟ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାପରେ ପୁଲିସର ମନୋବଳ ବୃଦ୍ଧି ପାଇଥିବା ବେଳେ ମାଓ ସଙ୍ଗଠନର ଦୁର୍ଗ ଭୁଶୁଡ଼ିବାରେ ଲାଗିଥିବା ଜଣାପଡ଼ିଛି । ପପୁଲୁର ଏକ ଦୁର୍ଗମ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ତାହାକୁ ମାଓବାଦୀମାନେ ଚରାଭୂଇଁ ଭଳି ବ୍ୟବହାର କରୁଥାନ୍ତି । ମାଲକାନାଗିରି ଜିଲ୍ଲାର ତୁଳସୀ ପାହାଡ଼ ଓ ସ୍ୱାଭାମିନ ଅଞ୍ଚଳ ସହ କାଳିମେଳା ଦଳମ୍ ସକ୍ରିୟ ଅଛନ୍ତି ।