ରାୟଗଡା: ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି। ଦୁର୍ଗମ ଅଂଚଳରେ ରାସ୍ତା କାମକୁ ବିରୋଧ କରି ସର୍ବଦା ପୋଡା ଜଳା କରିଥାନ୍ତି ମାଓବାଦୀ । ଗତରାତିରେ ମଧ୍ୟ ରାସ୍ତା କାମରେ ନିୟୋଜିତ ଦୁଇଟି ଜେସିବି, ଗୋଟିଏ ରୋଲର ଓ ପିଚୁ ମିକ୍ସଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ।
କଲ୍ୟାଣସିଙ୍ଗପୁର ବ୍ଲକ ନିୟମଗିରି ଅଂଚଳର ନାରିଙ୍ଗିତୋଳା ଠାରୁ ଗୁମ୍ମା ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ସବୁଦିନିଆ ରାସ୍ତା କାମରେ ନିୟୋଜିତ ଥିଲା ଏହି ସବୁ ଗାଡି। ଏହି କାମକୁ ବିରୋଧ କରି ମାଓବାଦୀ ଗତ ରାତିରେ ଘଟାଇଛନ୍ତି ଏହି ଲଙ୍କାକାଣ୍ଡ।
ଗତକାଲି ମଧ୍ୟରାତ୍ରିରେ ୬୦ରୁ ଉର୍ଦ୍ଧ ମାଓବାଦୀ ଗୁମ୍ମାରେ ଥିବା ଠିକାଦାର କ୍ୟାମ୍ପରେ ପହଂଚି କ୍ୟାମ୍ପରେ ଥିବା ଦୁଇ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରି ମୋବାଇଲ ଛଡାଇ ନେଇଯାଇଥିଲେ। ପରେ ଗାଡି ଗୁଡିକୁ ପୋଡି ତିନୋଟି ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ।
ଏହି ପୋଷ୍ଟରରେ ନିୟମଗିରି ଅଂଚଳରେ ରାସ୍ତା ନିର୍ମାଣକରି ବେଦାନ୍ତ କମ୍ପାନୀ ଖଣି ଉତୋଳନ କରିବା ପାଇଁ ଚେଷ୍ଟା କରୁଛନ୍ତି ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ୧୦ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଥିଲା ଏହି ରାସ୍ତାକାମ। ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ପୋଡାଜଳା କରିଥିଲେ।