ଛତିଶଗଡ଼ରେ ପୁଣି ତାଣ୍ଡବ ରଚିଲେ ମାଓବାଦୀ, ୧୫ ଦିନରେ ୧୨ ମୃତ୍ୟୁ

ମାଲକାନଗିରି : ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାରେ ପୁଣି ନକ୍ସଲ୍ ହମଲା । ଦାନ୍ତେୱାଡ଼ା ଜିଲ୍ଲାର ବାଚେଲୀରେ ଉଡ଼ାଇଦେଲେ ମିନି ବସ୍ । ଯେଉଁଥିରେ ଜଣେ ସିଆଇଏସଏଫ୍ ଯବାନଙ୍କ ସହ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନକ୍ସଲମାନଙ୍କର ଏହା ତୃତୀୟ ହମଲା ଥିବା ବେଳେ ଦାନ୍ତେୱାଡ଼ାରେ ଦ୍ବିତୀୟ । ପୁଣି ଜଗଦଲପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ଦିନକ ପୂର୍ବରୁ ଏମିତି କାଣ୍ଡ ଘଟାଇଛନ୍ତି ନକ୍ସଲ୍ ।

ପୁଣି ଛତିଶଗଡ଼ରେ ତାଣ୍ଡବ ରଚିଲେ ମାଓବାଦୀ । ପୁଣି ଉଡ଼ାଇଲେ ସୁରକ୍ଷାବାହିନୀଙ୍କ ବସ୍‌ । ରାସ୍ତାରେ ଏଠି ସେଠି ଛିଟିକି ପଡ଼ିଛି ମୃତଦେହ । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବାଚେଲିରେ ଏମିତି କାଣ୍ଡ ଘଟାଇଛନ୍ତି ନକ୍ସଲ୍ । ଆଇଇଡି ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ମିନିବସ୍ । ଯେଉଁଥିରେ ଜଣେ ସିଆଇଏସଏଫ୍  ଯବାନଙ୍କ ସହ ବସର ଡ୍ରାଇଭର୍, କଣ୍ଡକ୍ଟର୍ ଓ କ୍ଲିନର୍ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଛତିଶଗଡ଼ରେ ଏବେ ନିର୍ବାଚନୀ ମାହୋଲ।  ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଗତ ୧୫ ଦିନ ଭିତରେ ଏହା  ନକ୍ସଲମାନଙ୍କର ତୃତୀୟ ହମଲା । ଗତମାସ ୨୭ରେ ବିଜାପୁରରେ ପ୍ରଥମ ବ୍ଲାଷ୍ଟ କରିଥିଲେ। ଏଥିରେ ୪ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ। ସେହିପରି ୩୦ ତାରିଖରେ ସେହି ଦନ୍ତେୱାଡ଼ାରେ ସୁରକ୍ଷାବାହିନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଦୂରଦର୍ଶନ କ୍ୟାମେରାମ୍ୟାନ ସହ ୨ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ସୁରକ୍ଷା ବାହିନୀଙ୍କୁ ହମଲା କରିଛନ୍ତି।

ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜଗଦଲପୁର ଯିବାର ଅଛି । ତା ପୂର୍ବରୁ ଦନ୍ତେୱାଡ଼ାରେ ହୋଇଛି ଲାଲ୍ ହମଲା । ସୁକମା ଜିଲ୍ଲାରେ ମଧ୍ୟ ମାଓବାଦୀମାନେ ଜଣଙ୍କ ମୁଣ୍ଡ ନେଇଛନ୍ତି । ଫୁଲବାଗଡ଼ି ଥାନା ବୋଡ଼କା ଗାଁର ପୂର୍ବତନ ସରପଞ୍ଚ ଧୁରୁବା କମଳୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି । କିଛିଦିନ ତଳେ ଧୁରୁବାଙ୍କ ସାନଭାଇଙ୍କୁ ମଧ୍ୟ ନକ୍ସଲମାନେ ହତ୍ୟା କରିଥିଲେ ।