ଦାନ୍ତେୱାଡ଼ା ରେ ମାଓ ହମଲା ଭିଡିଓ ଜର୍ନାଲିଷ୍ଟଙ୍କ ସହ ୨ ଯବାନ ସହିଦ୍

ଭୁବନେଶ୍ୱର : ଛତିଶଗଡ଼ରେ ପୁଣି ମାଓ ହମଲା । ନିର୍ବାଚନ ଯେତିକି ପାଖେଇ ଆସୁଛି, ଲାଲବାହିନୀ ସେତେ ଅଧିକରୁ ଅଧିକ ରକ୍ତମୁଖା ହେବାରେ ଲାଗିଛି । ବିଜାପୁରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣର ୩ ଦିନ ପରେ ଆଜି ଦାନ୍ତେୱାଡ଼ାରେ କରିଛନ୍ତି ଆମ୍ବୁସ୍ । ଯେଉଁଥିରେ ୨ ସିଆରପିଏଫ୍ ଯବାନ ସହିଦ୍ ହୋଇଥିବା ବେଳେ କ୍ରସ୍ ଫାୟାରରେ ଟଳି ପଡ଼ିଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି ।

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ରକ୍ତମୁଖା ଲାଲବାହିନୀ । ବିଜାପୁର ପରେ ଦାନ୍ତେଓ୍ବାଡ଼ାରେ ବଡ଼ ଧରଣର ମାଓ ହମଲା । ଏଥର ସୁରକ୍ଷାକର୍ମୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେ ଟାର୍ଗେଟ୍ । ଆରନପୁର ନିକଟରେ ସିଆରପିଏଫ୍ ଯବାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ । ଯେଉଁଠି କ୍ରସ୍ ଫାୟାରରେ ଟଳି ପଡ଼ିଛନ୍ତି ଦୂରଦର୍ଶନର ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦ ସାହୁ। ସିଆରପିଏଫ୍ ଏସଆଇ ରୁଦ୍ରପ୍ରତାପ, ଆସିଷ୍ଟାଣ୍ଟ କନଷ୍ଟେବଲ୍ ମଙ୍ଗଳୁ ସହିଦ୍ ହୋଇଛନ୍ତି । ଆଉ ୨ ଜଣ ଯବାନ ଆହତ ହୋଇଛନ୍ତି ।

ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗାଁରେ । ସେନାବାହିନୀରୁ ଅବସର ପରେ ଦୂରଦର୍ଶନରେ ଚାକିରି କରିଥିଲେ । ଛତିଶଗଡ଼ରେ ନିର୍ବାଚନ କଭରେଜ୍ ପାଇଁ ଦିଲ୍ଲୀରୁ ଅନ୍ୟ ୨ ସହଯୋଗୀଙ୍କ ସହ ଆସିଥିଲେ ।ତେବେ ନିର୍ବାଚନ ପୂର୍ବରୁ ଆରନପୁର-ଦାନ୍ତେୱାଡ଼ା ରାସ୍ତାରେ ଫ୍ଲାଗ୍ ମାର୍ଚ୍ଚ କରୁଥିଲେ ସୁରକ୍ଷାକର୍ମୀ । ଆଉ ସହଯୋଗୀ ରିପୋର୍ଟର ଧୀରଜ କୁମାର ଏବଂ ଲାଇଟ୍ ଆସିଷ୍ଟାଣ୍ଟ ମୋରମୁକ୍ତ ଶର୍ମାଙ୍କ ସହ ଗ୍ରାଉଣ୍ଡରୁ ନିର୍ବାଚନ ଏବଂ ଅନ୍ୟ ଉନ୍ନୟନମୂଳକ ଖବର ସଂଗ୍ରହରେ ବ୍ୟସ୍ତ ଥିଲେ ଅଚ୍ୟୁତାନନ୍ଦ । କିନ୍ତୁ ସୁରକ୍ଷାକର୍ମୀଙ୍କୁ ନକ୍ସଲଙ୍କ ଟାର୍ଗେଟର କ୍ରସ୍ ଫାୟାରରେ ଟଳି ପଡ଼ିଲେ । ଗତବର୍ଷ ବାହା ହୋଇଥିଲେ ଅଚ୍ୟୁତାନନ୍ଦ । ସେ ଓ ତାଙ୍କ ସ୍ତ୍ରୀ ଦିଲ୍ଲୀରେ ରହୁଥିବା ବେଳେ ଗାଁରେ ରହୁଥିଲେ ବାପା-ମାଆ ।
ଗତ ଶନିବାର ବିଜାପୁରରେ ଲାଲ୍ ବାହିନୀର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ସି.ଆର୍.ପି.ଏଫ୍ ଯବାନ୍ ସହିଦ୍ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଓଡ଼ିଆ ଯବାନ୍ ବ୍ରଜମୋହନ ବେହେରା ଥିଲେ ।