ବିଜେପୁର: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବେ ସନତ ଗଡ଼ତିଆ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ ବିଜେପି ସନତ ଗଡତିଆଙ୍କୁ ଟିକେଟ ଦେଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ସନତ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ଗତକାଲି ବିଳମ୍ବିତ ରାତିରେ ବିଜେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା।
ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ ଏବେ ଚର୍ଚ୍ଚାରେ ରହିଛି।ବିଜେପି ବିଜେପୁର ସମେତ ବିଳମ୍ବିତ ରାତିରେ 4 ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଆସାମର ନାଓଗୋଙ୍ଗ ପାଇଁ ରୂପକ ଶର୍ମା, କର୍ଣ୍ଣାଟକର ବେଙ୍ଗାଲୁରୁ ରୁରାଲ ପାଇଁ ଅଶ୍ୱତ ନାରାଇନ, ବେଙ୍ଗାଲୁରୁ ସାଉଥ ପାଇଁ ତେଜସ୍ୱୀ ସୂର୍ଯ୍ୟ ଏଲ.ଏସ ଓ ଉତ୍ତର ପ୍ରଦେଶର ହାଥ୍ରାସ ପାଇଁ ଲଢିବେ ରାଜବୀର ସିଂ ବାଲ୍ମିକୀ ।