ପିଏମ୍ କିଷାନ୍ ଯୋଜନାକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର:ପିଏମ୍ କିଷାନ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି । ଏହି ଯୋଜନାରେ ଚାଷୀଙ୍କ ପାଇଁ ବିଶେଷ ସୁବିଧା ନାହିଁ । କାରଣ ପିଏମ୍ କିଷାନ୍ ଯୋଜନାରେ କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କୁ ସାମିଲ କରାଯାଇ ନାହିଁ । ସେହିଭଳି କାଳିଆ ଯୋଜନା ଦେଶକୁ ବାଟ ଦେଖାଉଛି ବୋଲି କହିଛନ୍ତି ନବୀନ । କାଳିଆ ଯୋଜନାରେ କ୍ଷୁଦ୍ର ଚାଷୀ, ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କ ପାଇଁ ସୁବିଧା ରହିଛି । ମାତ୍ର ପିଏମ୍ କିଷାନ୍ ଯୋଜନାରେ ଏଭଳି ସୁବିଧା ନାହିଁ । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଭଞ୍ଜନଗରଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୌଦ୍ଧ ଗସ୍ତ ପରେ ଗଞ୍ଜାମର ଭଞ୍ଜନଗରରେ ପହଂଚିଥିଲେ । ସେଠାରେ ମଧ୍ୟ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନ୍ୟ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।