ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା : ନବୀନ ନିବାସରୁ ଆସିଲା ଫୋନ୍ କଲ୍

ଭୁବନେଶ୍ୱର:  ନବୀନଙ୍କ ନୂଆ ଟିମର ସ୍ବରୂପ ଧୀରେ ଧୀରେ ସ୍ପଷ୍ଟ ହେଉଛି।  ଆସନ୍ତାକାଲି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ଲାଗି ନବୀନ ନିବାସରୁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଆରମ୍ଭ ହୋଇଛି । ଏହି ରିପୋର୍ଟ ଲେଖାଯିବା ବେଳକୁ ୨୦ ଜଣ ବିଧାୟକଙ୍କ ନିକଟକୁ ଫୋନ କଲ୍ ଆସିଥିବା ଜଣାଯାଇଛି।

ନବୀନ ନିବାସରୁ ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ପ୍ରଥମ କଲ ଆସିଥିବା ଜଣାପଡିଛି । ସେହିଭଳି ଅନ୍ୟ ବିଧାୟକଙ୍କୁ ପର୍ଯ୍ୟାୟ କ୍ରମେ ଫୋନ୍ କଲ ଯାଉଥିବା ସୂଚନା ମିଳିଛି  । ନିମାପଡା ବିଧାୟକ ସମୀର ଦାଶଙ୍କ ପାଖକୁ ମଧ୍ୟ ଫୋନ  ଆସିଥିବା ଜଣାପଡିଛି । ସେହିପରି ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ସୋନପୁର ବିଧାୟକ ନିରଂଜନ ପୂଜାରୀଙ୍କୁ ନବୀନ ନିବାସରୁ କଲ୍ ଆସିଥିବା ସୂଚନା ରହିଛି। ଟିଟିଲାଗଡ ବିଧାୟିକା ଟୁକିନି ସାହୁଙ୍କୁ ମଧ୍ୟ ନବୀନ ନିବାସରୁ କଲ ଯାଇଛି । ଟୁକୁନି ସାହୁ ଦ୍ୱିତୀୟ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ସେହିଭଳି ଏକାମ୍ର ଭୁବନେଶ୍ୱରର ବିଧାୟକ ଅଶୋକ ପଣ୍ଡା, ଝାରସୁଗୁଡା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଆସନ୍ତକାଲି ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ଲାଗି ନବୀନ ନିବାସରୁ କଲ୍ ଆସିଥିବା ଜଣାପଡ଼ିଛି।

ଏଥିସହ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ବାଙ୍ଗ୍ରିପୋଷୀ ବିଧାୟକ ସୁଦାମ ମାରାଣ୍ଡି ଓ କୋଟପାଡ ବିଧାୟିକା ପଦ୍ମିନୀ ଦିଆନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ଲାଗି ନବୀନ ନିବାସରୁ କଲ୍ ଆସିଥିବା ସୂଚନା ମିଳିଛି।

ସେହିପରି ଏରସମା-ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଲାଗି ନବୀନ ନିବାସରୁ ଡାକରା ଆସିଛି।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ୨୧ ଜଣ ସ୍ଥାନ ପାଇବାକୁ ଯାଉଥିବା ହେତୁ ନବୀନ ନିବାସରୁ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଜାରି ରହିଛି।