ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ତୁଳସୀକ୍ଷେତ୍ର ପହଂଚିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ  ଅପରାହ୍ଣ ୫ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରୁ ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ସହ ଶ୍ରୀବଳଦେବଜୀଉ ମନ୍ଦିରକୁ ବାହାରି ଥିଲେ। ଅପରାହ୍ଣ ୫.୧୦ ମିନିଟରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚି ସ୍ନାନ ମଣ୍ଡପରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନକରି ୫.୨୦ ମିନିଟରେ ପ୍ରସ୍ଥାନ କରିଥିଲେ।

ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ  ନିକଟରେ ବିଜେଡି ସୁପ୍ରିମୋ କେନ୍ଦ୍ରାପଡ଼ାରେ ଦଳର ବିଜୟ ପାଇଁ  ମାନସିକ କରିଥିଲେ । କେନ୍ଦ୍ରାପଡାରେ ବିଜେଡିର  ବିପୁଳ ବିଜୟ ହାସଲ କରିବା ପରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡା ଗସ୍ତରେ ନବୀନ ଆସିଥିବା ଆଲୋଚନା  ହେଉଛି। ।  ଶ୍ରୀବଳଦେବଜୀଉଙ୍କ ନିକଟରେ ନବୀନ ମାନସିକ କରିଥିବା କଥାକୁ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରାପଡାର ନବ ନିର୍ବାଚିତ ସାଂସଦ ଅନୁଭବ ମହାନ୍ତି । ତେବେ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ମାନସିକ କରିବା ରାଜ୍ୟ ରାଜନୀତି ପାଇଁ ଏକ ରୋଚକ ଖବର।

ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଶ୍ରୀବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଉପରେ ପୂରା ରାଜ୍ୟର ନଜର ରହିଥିଲା । ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ଟୀକା ପିନ୍ଧାଇବାକୁ କେନ୍ଦ୍ରାପଡାରେ ଡେରା ପକାଇଥିଲେ ବଡ ବଡ ନେତା । ଏପରିକି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାରାଥନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରାପଡାରେ ଭୋଟଗ୍ରହଣ ହେବାର ୨ ଦିନ ପୂର୍ବରୁ ତୁଳସୀକ୍ଷେତ୍ରରେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନବୀନ । ଏପ୍ରିଲ ୨୬ ଓ ୨୭ ଦୁଇଦିନ ଧରି କେନ୍ଦ୍ରାପଡାରେ ମାରାଥନ ପ୍ରଚାର ସହ ରୋଡ ସୋ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଏହି କେନ୍ଦ୍ରାପଡା ଗସ୍ତ ସମୟରେ ହିଁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିଲେ ନବୀନ । ବେଶ କିଛି ସମୟ ମନ୍ଦିରରେ ରହିବା ସହ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଏହା ଉପରୁ ପରଦା ଉଠାଇଛନ୍ତି ଅନୁଭବ ।