ଆଜି ଭିଡିଓ ଜରିଆରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରୋନାକୁ ନେଇ ଚାରିଆଡେ ଚିନ୍ତାରେ ରହିଥିବାବେଳେ ଆଜି ଭିଡିଓ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଜରିଆରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଭିଡିଓ କାର୍ଯ୍ୟକ୍ରମ ଜରିଆରେ ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ରାଜ୍ୟରେ ଜାରି ହୋଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ ହୁଏତ କିଛି ବଡ଼ ନିଷ୍ପତି ନେଇପାରନ୍ତି ନବୀନ । ଅନ୍ୟ ପକ୍ଷରେ ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବଢ଼ି ଚାଲିଥିବା କରୋନାଭାଇରସ୍ ସଂକ୍ରାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

ସେପଟେ ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାରେ ତାଲା ବନ୍ଦ ପାଳନ କରାଯିବ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । ପୂର୍ବଭଳି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ଅଗ୍ନିଶମ, ପେଟ୍ରୋଲ ପମ୍ପ, ପନିପରିବା, ମାଛ ମାଂସ ଓ କ୍ଷୀର ଦୋକାନ ଖୋଲା ରହିବ ।

ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।