ରାଜ୍ୟବାସୀଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ ମୁଖ୍ୟମନ୍ତ୍ରୀ; ପୁଣି ହସିବ ଆମ ଓଡ଼ିଶା……..

ଭୁବନେଶ୍ୱର : ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ବି ଥମୁନାହିଁ କୋରୋନା ଆକ୍ରାନ୍ତ । ଓଡିଶାକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ତଥାପି ଏ ଜାତି କେବେ ଭାଙ୍ଗି ପଡିନାହିଁ କି ଭାଙ୍ଗିବ ନାହିଁ । ବାସ ଆଉ କିଛି ଦିନରେ ପୁଣି ଫେରିବ ନୂଆ ସକାଳ । ପୁଣି ହସିବ ଆମ ଓଡିଶା…ଏପରି କିଛି କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଭିଡିଓ ଜାରି କରି ରାଜ୍ୟ ବାସୀଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାମାରୀ ସଙ୍କଟ ମଧ୍ୟରେ ଟ୍ୱିଟ କରି ରାଜ୍ୟବାସୀଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ପ୍ରାକୃତିକ ବିପର୍ଯ୍ୟୟ ସତ୍ୱେ ଓଡିଶା କେବେ ଭାଙ୍ଗି ପଡିନଥିବା ବେଳେ ଏଥିର ବି ପୁଣି ଓଡିଶା ହସିବ ବୋଲି କହିଛନ୍ତି ନବୀନ । ତେବେ ସେ ଜାରି କରିଥିବା ଏହି ଭିଡିଓରେ ପଦ୍ମଶ୍ରୀ ହଳଧର ନାଗଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ଦିଲୀପ ତିର୍କି, ଧାବିକାରାଣୀ ଦୂତି ଚାନ୍ଦ, ପ୍ରକୃତି ମିଶ୍ର, ହାସ୍ୟ ଅଭିନେତା ପ୍ରଜ୍ଞାନ, ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରମୁଖ ବିଭିନ୍ନ କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରେ ଲେଖିଛନ୍ତି ଯେ କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି। ହେଲେ ଏ ଜାତି କେବେ ଭାଙ୍ଗି ପଡିନି କି ଭାଙ୍ଗିବ ନାହିଁ। ବାସ୍ ଆଉ କିଛି ଦିନର ଅପେକ୍ଷା, ଏ ମହାମାରୀ ବି ଚାଲିଯିବ। ପୁଣି ଫେରିବ ସେ ଖୁସିର ଦିନ। ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ। ପୁଣି ହସିବ ଓଡ଼ିଶା। ଶେଷରେ ନବୀନ ମହାପ୍ରଭୁ ଜଗନ୍ନାଥଙ୍କ ସ୍ମରଣ କରି ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି ।

ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଆବବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ପୂର୍ବରୁ ମଧ୍ୟ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଦେଖିବାକୁ ମିଳିଛି । ଏଥର ବି ରାଜ୍ୟରେ ମାହାମାରୀକୁ ପ୍ରତିହତ କରିବା ପାଇଁ ତତ୍ପର ଅଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡିଆଙ୍କ ପ୍ରତି ଚିନ୍ତା ପ୍ରକଟ କରି ସେମାନଙ୍କୁ ଧର୍ଯ୍ୟ ଧରିବାକୁ କହିଥିଲେ ନବୀନ ।