କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ଫୋନି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫୋନି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପରେ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତୀ ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରଭାବିତଙ୍କ ପାଇଁ ଘୋଷଣା କରିଛନ୍ତି ପ୍ୟାକେଜ୍ । କେନ୍ଦ୍ରାପଡ଼ାରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣର ପୁନଃଉଦ୍ଧାର କାର‌୍ୟ୍ୟ ଶେଷ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି କହିଛନ୍ତି ଯେ, ସମ୍ୱେଦନଶୀଳ ସ୍ଥାନରେ ପ୍ରତି ଆଶ୍ରୟସ୍ଥଳ ପିଛା ୨ କୋଟି ଟଙ୍କା ବିନିମୟରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ସେହିପରି ଭଙ୍ଗା ସ୍କୁଲ ଗୃହ, ଅଙ୍ଗନବାଡି କେନ୍ଦ୍ର ପୁନଃ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଯୋଗାଇଦିଆଯିବ । ଏନେଇ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମହିଳା ଏସଏଚଜି, ଚାଷୀ ଓ ମତ୍ସ୍ୟଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।