ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ

ରାଜନୀତିରୁ ଅବସର ଘୋଷଣା କଲେ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ମୁଁ ବିଜୁ ପରିବାର ନିକଟରେ କ୍ଷମା ମାଗୁଛି । ମୋ ବିରୁଦ୍ଧରେ ପ୍ରଚାର ଦଳକୁ କ୍ଷତି ପହଞ୍ଚାଉଥିବାରୁ ମୁଁ ଦୁଃଖିତ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ପହଞ୍ଚାଇଥିଲେ ମୁଁ ଦୁଃଖିତ ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ମୁଁ ଅନୁପ୍ରାଣୀତ ହୋଇଥିଲି । ନବୀନଙ୍କ ସହାୟତା ପାଇଁ ମୁଁ ରାଜନୀତିକୁ ଆସିଥିଲି । ଏହାସହ ସେ ହାତ ଯୋଡ଼ି ଦଳୀୟ କର୍ମକର୍ତ୍ତାଙ୍କୁ କ୍ଷମା ମାଗିଛନ୍ତି । ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିବେ ବୋଲି ମଧ୍ୟ କହିଛନ୍ତି।

ରାଜନୀତି ଛାଡି଼ବା ନେଇ ଭିଡିଓ ବାର୍ତ୍ତା ଜାରିକରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ଲୋକଙ୍କ ସେବାରେ ସଫଳ ହୋଇଛି । ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି। ମୁଁ ଏକ ଛୋଟିଆ ଗାଁରୁ ଏକ ସାଧାରଣ ପରିବାରରୁ ଆସିଛି ।ପିଲାଟି ଦିନରୁ ଲୋକଙ୍କ ସେବା କରିବା ଇଚ୍ଛା ଥିଲା। ସେଥିପାଇଁ ମୁଁ ଆଇଏଏସ ଜଏନ କଲି ଏବଂ ଲୋକଙ୍କ ସେବା କଲି ।ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଇଲି । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିବାର ସୌଭାଗ୍ୟ ମିଳିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସରେ ଜଏନ କରିଥିଲି । ନବୀନ ପଟ୍ଟନାଯକଙ୍କ ଅଭିଜ୍ଞତା, ଦକ୍ଷତା ମତେ ବେଶ୍ ପ୍ରଭାବିତ କରିଥିଲା । ନବୀନଙ୍କ ଭିଜନ ଓଡ଼ିଶା କାର୍ଯ୍ୟକାରୀ କରିବାକୁ ମୁଁ ଶପଥ ନେଇଥିଲି । ଗତ ୧୨ ବର୍ଷ ଧରି ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଁ ଓଡ଼ିଶାର ବିକାଶ କଥା ଚିନ୍ତା କରିଛି

ନବୀନ ପଟ୍ଟନାୟକ ମୋର ଗୁରୁ, ମୁଁ ନବୀନ ପଟ୍ଟନାୟକଙ୍କ ସହଯୋଗ କରିବା ପାଇ ଗତ ବର୍ଷ ନଭେମ୍ବରରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲି । ରାଜନୀତିରେ କୌଣସି ପଦ ପଦବୀ ପାଇଁ ମୁଁ ଲାଳାୟୀତ ନଥିଲି । ୨୪ ବର୍ଷ ତଳେ ମୋର ପାରିବାରିକ ଯେତିକି ସମ୍ପତ୍ତି ଥିଲା ୨୪ ବର୍ଷ ପରେ ମଧ୍ୟ ସେତିକି ଅଛି । ରାଜନୀତିକୁ ଆସିବାର ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ମୋର ଗୁରୁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା । ଦଳର ପରାଜୟ ପାଇଁ ମୁଁ ବିଜୁ ଜନତା ଦଳର ସମସ୍ତ କର୍ମୀ ତଥା ବିଜୁ ପରିବାର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗୁଛି।

ପ୍ରକାଶ ଯେ, ଚଳିତ ସାଧାରଣ ନିର୍ବାଚନରେ ବିଜେଡି ବ୍ୟାକଫୁଟକୁ ଗଲା ପରେ ପାଣ୍ଡିଆନଙ୍କ ଉପରେ ସିଧା ସଳଖ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମକର୍ତ୍ତା ପର୍ଯ୍ୟନ୍ତ ଅଙ୍ଗୁଳି ଉଠାଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଏକ ସ୍ବର ଉଠିଥିଲା । ସୋସିଆଲ ମିଡ଼ିଆରେ ସମସ୍ତେ ଟାର୍ଗେଟ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନ କହିଥିଲେ କି ଯଦି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍ ୯ତାରିଖ ଶପଥ ନ ନିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଆଜି ଜୁନ୍ ୯ତାରିଖ ଥିବାରୁ ସେ ତାଙ୍କ କଥା ରକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି ।