ଆସନ୍ତା ଜୁନ ୯ ତାରିଖ ଦିନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ: ପାଣ୍ଡିଆନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ ୯ ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଲାଗୁ କରିବା ଦାବିକୁ ପାଣ୍ଡିଆନ ମନା କରିଦେଇଛନ୍ତି। ସେ ଲୋକଙ୍କୁ ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଭଲ ତାହାର ହିସାବ ଦେଇଥିଲେ।

ଲୋକମାନଙ୍କୁ ପାଣ୍ଡିଆନ ଓଡିଶାର ବିଭିନ୍ନ ଯୋଜନା ଘୋଷଣା କରି ତାହା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଲୋକେ ନବୀନ ପଟ୍ଟନାୟକ ବୋଲି କହିଥିଲେ। ସେହିପରି ସେ ଲୋକଙ୍କୁ କହିଥିଲେ ଯେ, ଯେଉଁଠି ଡବଲ ଇଂଜିନି ଅଛି ସେହି ରାଜ୍ୟର ଅର୍ଥନୀତି ଭୁଷୁଡି ପଡିଛି। ତେଣୁ ଓଡିଶାର ଡବଲ ଇଂଜିନର କାମ ଦେବ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ବିଭିନ୍ନ ରାଜ୍ୟରେ ଡବଲ ଇଂଜିନି ପାଇଁ ଲୋକେ ତେଲ ପକାଇଥିଲେ। ହେଲେ ସେହି ତେଲ ସରିଗଲା ଆଉ ଗାଡି ଚାଲିପାରିଲା ନାହିଁ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବିରୋଧୀ କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି କହିଥିଲେ। ସେମାନେ କେବଳ ମିଛ କହୁଛନ୍ତି। ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଭଲ। ଏହିପରି ନବୀନ କେତେକ ଯୋଜନା ନାମ କହି ତାହା ଭଲ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ଯାହା ଲୋକେ ଉଚ୍ଚ ସ୍ବରରେ ଭଲ ବୋଲି କହିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗଦେଇଥିଲେ।