ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍ ଅଫ ଦି ନେସନ ପୋଲ୍‌’ ସର୍ଭେ

ଭୁବନେଶ୍ୱର : ଲଗାତର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ ଗାଦିରେ ବସିଛନ୍ତି । ୨୨ ବର୍ଷ ଶାସନ କଲାପରେ ବି ସରକାରୀ ବିରୋଧୀ ହାଓା ନବୀନଙ୍କୁ ଛୁଇଁ ପାରିନି । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ଲୋକପ୍ରିୟତା ଦିନକୁ ଦିନ ଆହୁରି ସୁଦୃଢ଼ ହେଉଛି । ଏବେ ଏବେ ନବୀନଙ୍କ ଶାସନରେ ୭୮ ପ୍ରତିଶତ ଓଡ଼ିଶା ଲୋକ ସନ୍ତୁଷ୍ଟ ଅଛନ୍ତି । ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍ ଅଫ ଦି ନେସନ ପୋଲ୍‌’ ସର୍ଭେରୁ ଏହା ଜଣାପଡ଼ିଛି । ‘ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ’ ବର୍ଗରେ ନବୀନ ପଟ୍ଟନାୟକ ଶୀର୍ଷରେ ଅଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛନ୍ତି । ନବୀନଙ୍କ ଶାସନକୁ ନେଇ ୭୮ ପ୍ରତିଶତ ଓଡ଼ିଶା ଲୋକ ସନ୍ତୁଷ୍ଟ ଅଛନ୍ତି । ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍ ଅଫ୍ ଦି ନେସନ ପୋଲ୍‌’ ସର୍ଭେରୁ ଏହା ଜଣାପଡ଼ିଛି । ‘ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ’ ବର୍ଗରେ ନବୀନ ଶୀର୍ଷ ସ୍ଥାନରେ ରହିଛନ୍ତି । ଇଣ୍ଡିଆ ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଏହି ତାଲିକାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ତୃତୀୟ ସ୍ଥାନରେ ଅଛନ୍ତି । ହିମନ୍ତଙ୍କ ଉପରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସର୍ଭେରେ କୁହାଯାଇଛି ଯେ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶାସନ କରୁଥିଲେ ମଧ୍ୟ ଲୋକପ୍ରିୟତାରେ ସେ ଏବେ ବିରୋଧୀ ଦଳ ନେତାଙ୍କ ତୁଳନାରେ ଢେର ଆଗରେ ଅଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ୫୩ ପ୍ରତିଶତ ଲୋକ ମୋଦୀଙ୍କୁ ଉପଯୁକ୍ତ ବୋଲି ଭାବୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୯ ପ୍ରତିଶତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛନ୍ତି । ଆଜି ଦେଶରେ ନିର୍ବାଚନ ହେଲେ ଏନଡିଏ ଆଗରେ ରହିବ । କିନ୍ତୁ ନୀତୀଶ ବିଜେପି ହାତ ଛାଡ଼ିବା ଘଟଣା ଏନଡିଏ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଅଗଷ୍ଟ ୧ ତାରିଖରେ ନିର୍ବାଚନ ହୋଇଥିଲେ ୫୦୩ ଲୋକସଭା ଆସନ ମଧ୍ୟରୁ ଏନଡିଏ ୩୦୭ ଆସନରେ ଜିତିଥାନ୍ତା । ୟୁପିଏ ୧୨୫ଟି ଆସନରେ ଏବଂ ଅନ୍ୟ ଦଳଗୁଡ଼ିକ ୧୧୧ ଆସନରେ ଜିତିଥାନ୍ତେ । କିନ୍ତୁ ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ପରେ ନିର୍ବାଚନ ହେଲେ ଏନଡିଏ ସିଧାସଳଖ ୨୧ଟି ଆସନ ହରାଇବ । ଏନଡିଏକୁ ୨୮୬ଟି ଆସନ ମିଳିବ । ଅନ୍ୟପକ୍ଷରେ ୟୁପିଏକୁ ୧୪୬ଟି ଆସନ ମିଳିବ ।


ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ବିରୋଧୀ ଦଳ ନେତାଭାବେ ୨୭ ପ୍ରତିଶତ ଲୋକ କେଜ୍ରିୱାଲ, ୨୦ ପ୍ରତିଶତ ମମତା ବାନାର୍ଜୀ ଓ ୧୩ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀଭାବେ ମୋଦୀଙ୍କ ବଡ଼ ବିଫଳତାଗୁଡ଼ିକ ହେଉଛି ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା । ୩୩ ପ୍ରତିଶତ ଲୋକ ଦରଦାମ ବୃଦ୍ଧିଙ୍କୁ ଏବଂ ୨୬ ପ୍ରତିଶତ ବେକାରୀକୁ ତାଙ୍କର ବିଫଳତା ବୋଲି ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କର ବଡ଼ ସଫଳତାଗୁଡ଼ିକ ମଧ୍ୟରେ ରହିଛି କୋଭିଡ ମହାମାରୀର ମୁକାବିଲା ଓ ଧାରା ୩୭୦ ଉଚ୍ଛେଦ । ୨୫ ପ୍ରତିଶତ ଲୋକ କୋଭିଡ ମୁକାବିଲାକୁ ଏବଂ ୧୫ ପ୍ରତିଶତ ଧାରା ୩୭୦ ଉଚ୍ଛେଦକୁ ତାଙ୍କର ବଡ଼ ସଫଳତା ବୋଲି କହିଛନ୍ତି । ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ପକ୍ଷରୁ ଉକ୍ତ ସର୍ଭେ ଚଳିତବର୍ଷ ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ହୋଇଛି । ସର୍ଭେରେ ୧ ଲକ୍ଷ ୨୨ ହଜାର ୧୬ ଲୋକଙ୍କୁ ସାମିଲ କରାଯାଇଥିଲା ।

#naveen_patnaik #number_one_cm_in_india