ଅଫିସରଙ୍କୁ ‘ଗୁରୁମନ୍ତ୍ର’ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଡାକି ସରଳ ଜୀବନଯାପନ ପାଇଁ ଗୁରୁମନ୍ତ୍ର ଦେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଫିସରମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବ,ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ମୁଖ୍ୟ ସଚିବଙ୍କୁ ଡାକି ମୁଖ୍ୟମନ୍ତ୍ରୀ ନିଜର ସଫଳତା ବଖାଣିବା ସହ ଫାଇଭ-ଟି ମାଧ୍ୟମରେ ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କ ସହ ସହ ବୈଠକ କରି ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯାହାକି ଓଡ଼ିଶାକୁ ଆନ୍ତର୍ଜାତିକ ମାନଦଣ୍ଡ ଅନୁରୂପ କରାଇପାରିଛି। ବିପର୍ଯ୍ୟୟ ପରିଚାଳନା, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ରାଜ୍ୟରୁ ନକ୍ସଲଙ୍କ ପ୍ରଭାବ ହ୍ରାସ ମାଧ୍ୟମରେ ଓଡ଼ିଶା ଏବେ ସମଗ୍ର ଦେଶରେ ସ୍ୱୀକୃତି ଲାଭ କରିଛି । ତେଣୁ ସମସ୍ତ ସରକାରୀ କଳ ଫାଇଭ-ଟି’କୁ ସାମିଲ କରି ରାଜ୍ୟରେ କାର୍ଯ୍ୟକାରୀ କରାଇବା ଉଚିତ୍।

ନାଗରିକକୈଦ୍ରିକ ଶାସନ ପ୍ରଦାନ ପାଇଁ ଏବଂ ଉତ୍ତରଦାୟିତ୍ୱ ପ୍ରକ୍ରିୟାରେ ସୁଧାର ଆଣିବା ନିମନ୍ତେ ଜିଲ୍ଲା ଏସପି ଓ ଭାରତୀୟ ଜଙ୍ଗଲ ସେବା ଅଧିକାରୀମାନେ (ଅତିରିକ୍ତ ପିସିସିଏଫ ଓ ତଦୁଦ୍ଧ୍ୱର୍ ଅଫିସର) ନିଜର ବାର୍ଷିକ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟକୁ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଅଫିସରମାନଙ୍କ ଏହି ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟରେ ଫାଇଭ-ଟି କାର୍ଯ୍ୟକାରୀ କରିବା ପାଇଁ ୨୦ ପ୍ରତିଶତ ମାର୍କ ବ୍ୟବସ୍ଥା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ନିର୍ଦ୍ଦେଶାଳୟଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଓ ତ୍ୱରିତ୍ ନିଷ୍ପତ୍ତି ନିମନ୍ତେ ବିଭାଗ ଓ ନିର୍ଦ୍ଦେଶାଳୟଗୁଡ଼ିକ ସମ୍ମିଳିତ ହୋଇ କାର୍ଯ୍ୟ କରିବେ। ଓସ୍ୱାସ୍ ବ୍ୟବସ୍ଥା ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ବିଭାଗଗୁଡ଼ିକରେ ସମ୍ମିଶ୍ରଣ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଫାଇଭ-ଟି( ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ)କୁ ପୂର୍ତ୍ତ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ସାମିଲ କରିବା ଉପରେ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜି ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମଧ୍ୟ ତଳଠୁ ଉପରସ୍ତର ପର୍ଯ୍ୟନ୍ତ ଚାଲିଥିବା ‘ପିସି କାରବାର’ ସମ୍ପର୍କରେ ପଦୁଟିଏ ମଧ୍ୟ କହି ନାହାନ୍ତି । ଏପରିକି ୨୦୧୭ ମସିହାରେ ଜିଲ୍ଲାପାଳ ସମ୍ମିଳନୀରେ ‘ପିସି’ ବନ୍ଦ ପାଇଁ ଦେଇଥିବା ନିର୍ଦ୍ଦେଶ କେତେଦୂର ପାଳନ ହୋଇଛି ତାହା ବି ଜାଣିବାକୁ ପ୍ରୟାସ କରିନାହାନ୍ତି। ଓଲଟା ଅଫିସରମାନଙ୍କୁ ଡାକି ସେମାନଙ୍କୁ କେବଳ ସାବାସି ଦେବା ଜାରି ରଖିଛନ୍ତି।