ବ୍ରେକଫାଷ୍ଟରେ ନବୀନଙ୍କ ଗୁରୁମନ୍ତ୍ର:‘ଲୋକଙ୍କ ସହ ରୁହ, ଲୋକଙ୍କ ଲାଗି କାମ କର’

ଭୁବନେଶ୍ୱର: ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ଉଚ୍ଚାରଣ କିପରି ରହିବା ଉଚିତ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି।

ଏଥିଲାଗି ଆଜି ନବୀନ ନିବାସରେ ନିଆରା ଅନ୍ଦାଜରେ ବେକ୍ରଫାଷ୍ଟର ଆୟୋଜନ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆ ବିଧାୟକଙ୍କୁ ଟିପ୍ସ ଦେଇଥିଲେ। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବେକ୍ରଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସହ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।  ବେକ୍ରଫାଷ୍ଟରେ ଦଳର କିଛି ଅଭିଜ୍ଞ ବିଧାୟକ ମଧ୍ୟ ସାମିଲ ହୋଇଥିଲେ । ଏହା ପରେ ନବୀନ ଦଳର କିଛି ପୁରୁଖା ବିଧାୟକଙ୍କୁ ନେଇ ମଧ୍ୟ ଏକ ବୈଠକ କରିଥିଲେ

ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକମାନଙ୍କୁ ନୂତନ ଦିଗଦର୍ଶନ ଦେବା ସହ ଲୋକଙ୍କ ସହ ରହି, ଲୋକଙ୍କ ପାଇଁ କାମ କରିବାକୁ କହିଛନ୍ତି।   ଅର୍ଥଲୋଭି ନ ହେବା ଲାଗି ବି ପରାମର୍ଶ ଦେଇଛନ୍ତି।  ଗରୀବ ଲୋକଙ୍କ ସହ ରହି  ସରଳ ଜୀବନଯାପନ କରିବାକୁ  ସେ ନବନିର୍ବାଚିତ ବିଧାୟକଙ୍କୁ କହିଛନ୍ତି।

ପୂର୍ବରୁ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନ ପରେ ଜନପ୍ରତିନିଧୀ ହୋଇଥିବାରୁ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ନିକଟରେ ଉତ୍ତରଦାୟୀ  ରୁହ । ସମସ୍ତଙ୍କ ଲାଗି କାମ କର ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାବ୍ୟତୀତ ସାଧାରଣ ଲୋକଙ୍କ ପ୍ରତି ନୂତନ ବିଧାୟକମାନଙ୍କ ଆଚରଣ, ବ୍ୟବହାର କିପରି ରହିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଯେପରି ସାଧାରଣ ଲୋକେ ସେମାନଙ୍କ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇବାକୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବ୍ରେକଫାଷ୍ଟ ଟେବୁଲରେ ମୁଖ୍ୟ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କୁ ଅର୍ଥ ଲୋଭି ନ ହେବା ପାଇଁ ପରାମର୍ଶ ଦେବା ସହ ସରଳ ଜୀବନଯାପନ କରିବାକୁ ବି କହିଛନ୍ତି। ଏହାବ୍ୟତୀତ ସେଠାରେ ଉପସ୍ଥିତ ଜଣେ ମନ୍ତ୍ରୀ ସୁନା ଚେନ୍, ଗାଡ଼ି ଲୋଭ ଛାଡ଼ିବାକୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ପରାମର୍ଶ ଦେଇଥିଲେ।