ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ  ଜେଟଲୀ ଜଣେ ବିଦ୍ୱାନ ଥିଲେ ବୋଲି କହିଛନ୍ତି।

ସେହିପରି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି।
ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ ଜେଟଲୀଙ୍କୁ  ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ବରିଷ୍ଠ ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା। ଶେଷରେ ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍‌ରେ  ତାଙ୍କର ପରଲୋକ ହୋଇଥିବା ନେଇ ଏମ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି  ଜାରି କରାଯାଇଥିଲା।