“ଅହିଂସା” ଶବ୍ଦ ସମ୍ବିଧାନ ମୁଖବନ୍ଧରେ ରଖିବା ଦାବୀ ଦୋହରାଇଲେ ମୁଖ୍ୟମନ୍ତ୍ରୀ
ମହାତ୍ମଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ କମିଟି ୨ୟ ବୈଠକ
ଭୁବନେଶ୍ୱର: ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ରାଷ୍ଟ୍ରପତି ଭବନଠାରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ୨ୟ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ । ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବସମାଜ ଆପଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଯୁବସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଓ ମହାତ୍ମଗାନ୍ଧୀଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣା ଉତ୍ସ କରି ରଖିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ମହାତ୍ମଗାନ୍ଧୀଙ୍କ ଅହିଂସା ତତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଯେ, ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା । ଗାନ୍ଧିଜୀଙ୍କ ମତରେ ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ, ସେ ପର୍ଯ୍ୟନ୍ତ ସ୍ୱାଧିନତାର ମୂଲ୍ୟ ଅର୍ଥହୀନ । ବିନା ଅହିଂସାରେ ଗରିବୀ ଦୂର କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଜାତି, ଧର୍ମ, ବର୍ଣ୍ଣ ଭିତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଜ୍ଞଳି ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମତକୁ ପୁଣିଥରେ ଦୋହରାଇଛନ୍ତି । ଏହା ଭାରତ ତଥା ବିଶ୍ୱର ଆଗାମୀ ପିଢ଼ୀକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ଼ ସତ୍ୟତା ସବୁଦିନ ସ୍ମରଣ କରାଇଦେଇଥିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।