ମୋ ସରକାର ଆସିଲେ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ହଜାର ଟଙ୍କା ମିଳିବ: ନବୀନ

ବିଜେପୁର : ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ଖୋଦ୍‌ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରରେ ଦିନ ରାତି ଏକ କରି ପ୍ରଚାର କରିବା ପରେ ଆଜି ପୁଣି ବରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ଏହି ମର୍ମରେ ନିଜ ନିର୍ବାଚନୀ ମଣ୍ଡଳୀ ତଥା ବିଜେପୁରରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ।

ବିଜେପୁରରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ବିଜେପୁରବାସୀଙ୍କୁ ଉଦବୋଧନ ଦେବା ସହ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କହି ଅଭିଭାଷଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ନବୀନ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅଂଚଳରୁ ବହୁ ବନ୍ଧୁମାନେ ମୋତେ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଆଉ ଆପଣଙ୍କ ଅନୁରୋଧ କ୍ରମେ ମୁଁ ଏଠାରୁ ଲଢିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ନବୀନ ।

ତେବେ ବିଜେପରୁ ସଭା ମଂଚରୁ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ‘କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ବିଜେପୁରର ବିକାଶ ମୋର ଦାୟିତ୍ୱ । ଆପଣମାନେ ମୋର ପରିବାର। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ଶଂଖ ଚିହ୍ନକୁ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାପୂର୍ବରୁ ନବୀନ ବରଗଡ ନିର୍ବାଚନୀ ସଭାରୁ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବରଗଡ ଧନୁଯାତ୍ରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ୨ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଦିଲ୍ଲୀରେ ଓଡିଶା ପାଇଁ ନେତାମାନେ ପାଟି ଖୋଲୁ ନାହାଁନ୍ତି । ନିର୍ବାଚନ ସମୟ ଆସିଲେ ଓଡିଶାରେ ପ୍ରଚାର କରୁଛନ୍ତି । ଏହା ସହିତ କହିଛନ୍ତି କାଳିଆ ଟଙ୍କାକୁ କେହି ବନ୍ଦ୍‌ କରିପାରିବେ ନାହିଁ । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ହଜାର ଟଙ୍କା ସମସ୍ତ ଚାଷୀଙ୍କ ଅକାଉଂଟକୁ ଯିବ । ଏହା ସହିତ ଦଳୀୟ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ୍‌ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ନବୀନ।