ବୁଲବୁଲ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନଭେମ୍ବର ୨୪ ତାରିଖ ସୁଦ୍ଧା ସହାୟତା ବଂଟନ କରିବ ା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଭିଡିଓ କନଫରେନସିଂ ଜରିଆରେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସମୟରେ କ୍ଷୟକ୍ଷତିର ଆକଳନ ଓ ସହାୟତା ବଂଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ ବିବରଣୀ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବା ଓ ସହାୟତା ରାଶି କ୍ଷତିଗ୍ରସ୍ତଙ୍କ ଆକାଉଂଟକୁ ସିଧାସଳଖ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ୱେବସାଇଟରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ବୁଲବୁଲ ବାତ୍ୟାରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତିର ବ୍ୟାପକ କ୍ଷତି ଘଟିଛି । ଘର, ଫସଲର କ୍ଷତି ହେବା ସହିତ ଲୋକଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଭିତିଭୂମି କ୍ଷତିଗ୍ରସ୍ତ ହୋଇଛି ।
ଆଗାମୀ ଦୁଇଦିନ ମଧ୍ୟରେ ଭିତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ୍ ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମର ଉଦ୍ଧାର ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଂଶସା କରିଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀ ବୁଲବୁଲ କ୍ଷତିଗ୍ରସ୍ତଙ୍କ ପାଇଁ ଏକ ପ୍ୟାକେଜ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜ୍ ଅନୁଯାୟୀ:-
(୧)ଅଣ ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତଦୁର୍ଦ୍ଧ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ପ୍ରଦାନ କରାଯିବ ।
(୨)କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ ସବସିଡି ପରିମାଣ ୨୦୦୦ ଟଙ୍କାରୁ କମ୍ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କା କମ୍ ହେବ ନାହିଁ ।
(୩) ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍ ପ୍ରଦାନ କରାଯିବ ।
(୪)କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ହଜାର ଏକର ଜମିରେ ହେମୋନେଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ ।
(୫)କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ପ୍ରତିଶତ ରିହାତିରେ ୩୦୦୦ ସ୍ପ୍ରେୟର ପ୍ରଦାନ କରାଯିବ ।
ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ।
(୬)ରବି ୨୦୧୯-୨୦ ପାଇଁ ୧୦ ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବ ।
(୭)ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ଦିଆଯିବ ।
(୮)୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ ।
(୯)ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କୃଷିସାମଗ୍ରୀ ଦେବା ପାଇଁ ପଦକ୍ଷେପ ନିଆଯିବ ।
(୧୦)ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶ୍ରୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବି=ୀମା ପରିମାଣ ଚୂଡାନ୍ତ କରାଯିବ ।
(୧୧)୩୩ ପ୍ରତିଶତ ବା ତଦୁର୍ଦ୍ଧ କ୍ଷତି ହୋଇଥିବା ଚାଷୀଙ୍କୁ ରବି ୨୦୧୯ ପାଇଁ ଦିଆଯାଇଥିବା ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ ।
(୧୨)କ୍ଷୀର ଦେଉଥିବା ଗାଈ,ମଇଁଷି ପାଇଁ ସହାୟତା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ(୩ଟି ପ୍ରାଣୀ), ବାଛୁରୀ ପାଇଁ ୧୬ ହଜାର (୬ଟା ପ୍ରାଣୀ ପର୍ଯ୍ୟନ୍ତ), ଛେଳି-ମେଣ୍ଢା ପାଇଁ ୩୦୦୦ ଟଙ୍କା(୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡା ପାଇଁ ମୁଣ୍ଡପିଛା ୫୦ ଟଙ୍କା(ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ ।
(୧୩)ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ ୨୧୦୦ଟଙ୍କା,ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୯୬୦୦ଟଙ୍କା ଏବଂ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨୬୦୦ଟଙ୍କା ସହାୟତା ଦିଆଯିବ ।
(୧୪)ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା ଏବଂ ଇନପୁଟ ସବସିଡି ଭାବରେ ହେକ୍ଟର ପିଛା ୮୨୦୦ ଟଙ୍କା ସହାୟତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରୁ ଫେରି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ ।