୨୯ରେ ଶପଥ ନେବେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼ ଲାଗିଗଲାଣି।

ନବୀନଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ମନ୍ତ୍ରୀ କିଏ ହେବେ ସେଥି ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି। କେବଳ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟତୀତ ବିଦାୟୀ ମନ୍ତ୍ରୀମଣ୍ଡଳର ଅନ୍ୟ ସମସ୍ତ ମନ୍ତ୍ରୀ ପୁଣିଥରେ ଜିତିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସାଂସଦକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟ ମନ୍ତ୍ରୀମାନେ ପୁଣିଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଯଦି ସେମାନେ ମନ୍ତ୍ରୀ ହୁଅନ୍ତି ତେବେ କିଏ କେଉଁ ବିଭାଗ ପାଇବେ ତାହା ମଧ୍ୟ ଆଲୋଚନାର ବିଷୟବସ୍ତୁ ହୋଇଛି। ବିଶେଷତଃ ଅର୍ଥ ବିଭାଗ କିଏ ପାଇବ ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।

ଗତ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀଙ୍କ ବ୍ୟତୀତ ଏଥର କିଛି ବରିଷ୍ଠ ଓ ଅନୁଭବୀ ନେତା ବିଧାନସଭା ଆସିଛନ୍ତି। ଏଥର ଖଣ୍ଡପଡ଼ାରୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦାୟିତ୍ୱ ଦେଇପାରନ୍ତି ବୋଲି ଜାତୀୟ ଜନତା ଓ କର୍ମୀ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି। ନିର୍ବାଚନର ଠିକ ଦୁଇ ବର୍ଷ ପୂର୍ବରୁ ୨୦୧୭ ମେ ମାସରେ ‘କାମରାଜ ଯୋଜନା’ ଭଳି ଏକ ଦଳୀୟ ପୁନର୍ବିନାସ ଯୋଜନାରେ କେତେକ ଯୁବ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଦଳୀୟ ସଂଗଠନ ଦାୟିତ୍ୱ ନେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ପାଣିଗ୍ରାହୀ ଓ ଅରୁଣ ସାହୁ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ। ସେମାନଙ୍କୁ ଏଥର ନବୀନ ପୁରସ୍କୃତ କରିପାରନ୍ତି ବୋଲି ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

ଏହାଛଡ଼ା ଦଳର କେତେକ ପୂର୍ବତନ ମନ୍ତ୍ରୀ ତଥା ଅନୁଭବୀ ନେତା ଏଥର ବିଧାନସଭାକୁ ପୁଣି ନିର୍ବାଚିତ ହୋଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଦାମ ମାରାଣ୍ଡି, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପୁଣି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ପାରନ୍ତି ବୋଲି ଆଲୋଚନା ହେଉଛି।

ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଏଥର ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିଲା। ସେ ଏଥର କଂଗ୍ରେସର ହେଭିେଓ୍ଵଟ୍‌ ନେତା ଚିରଞ୍ଜିବୀ ବିଶ୍ୱାଳଙ୍କୁ ହରାଇଥିବାରୁ ତାଙ୍କର ରାଜନୈତି ଗୁରୁତ୍ୱ ବୃଦ୍ଧି ପାଇଛି। ତାଙ୍କୁ ଏଥର ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି।

ନବୀନ ଏଥର ନିର୍ବାଚନରେ ମହିଳା କାର୍ଡ ଖେଳି ବହୁ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୨ ଜଣ ନିର୍ବାଚିତ ହୋଇଛନ୍ତି। ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ନବୀନ ଏଥର ଅଧିକ ମହିଳାଙ୍କୁ ମନ୍ତ୍ରୀ କରିପାରନ୍ତି ବୋଲି ଆଶା କରାଯାଉଛି। ଗତ ମନ୍ତ୍ରିମଣ୍ଡଳରେ ମାତ୍ର ଦୁଇ ଜଣ ମହିଳା ମନ୍ତ୍ରୀ ଥିଲେ। ଏଥର କେତେଜଣ ମହିଳା ମନ୍ତ୍ରୀ ହେଉଛନ୍ତି ତାହାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।