୫ ରାଜ୍ୟର ଭୋଟ ଗଣିତ ୨୦୧୯କୁ ନିର୍ବାଚନକୁ ପ୍ରଭାବତି କରିବ କି ? ମହାମେଣ୍ଟ ହେବ କି ଆହୁରୀ ବଳିୟାନ ପଢନ୍ତୁ ପୁରା ଖବର

ଭୁବନେଶ୍ୱର : ବିଜେପିର ବୁରା ହାଲ । ବିଜେପିର ବଳ କୁହାଯାଉଥିବା ହିନ୍ଦି ବେଲ୍ଟର ୩ ପ୍ରମୁଖ ରାଜ୍ୟ ଦଳ ହାତରୁ ଖସିଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଥିବା ବିଜେପି ସରକାର ବିରୋଧରେ ଥିବା ପ୍ରଖର ଜନମତ ବିଜେପିକୁ ବ୍ୟାକଫୁଟକୁ ନେଇଛି । ଏହି ୩ ରାଜ୍ୟର ଫଳାଫଳ ୨୦୧୯ ପାଇଁ କଂଗ୍ରେସ ହାତମୁଠାକୁ ଟାଣ କରିବା ସହ ମୋଦି ବିରୋଧି ମହାମେଣ୍ଟକୁ ବି ଶକ୍ତ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ୨୦୧୯ ନିର୍ବାଚନରେ ମୋଦି ଭର୍ସେସ ରାହୁଲ ଗାନ୍ଧିଙ୍କ ମହାମେଣ୍ଟ ଭିତରେ ହେବ କଡା ଟକ୍କର ।

ହିନ୍ଦି ହାର୍ଟ ଲ୍ୟାଣ୍ଡରୁ ବିଜେପି ଖସିଲା । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିକୁ ଧୂଳି ଚଟେଇଛି କଂଗ୍ରେସ । ମୋଦି ଓ ଅମିତ ସାହାଙ୍କ ଯାଦୁ ଏହି ୩ ରାଜ୍ୟରେ ଫେଲ ମାରିଛି । ୩ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ମାନେ ଗଡ ଜଗିବାରେ ବିଫଳ ହୋଇଛନ୍ତି । ୨୦୧୯ରେ ମୋଦି ଯାଦୁ ଚାଲିବ ଏବଂ ଏହି ୫ ରାଜ୍ୟର ନିର୍ବାଚନ ସେମିଫାଇନାଲ ହେବ ବୋଲି ଯେଉଁ ଚର୍ଚା ହେଉଥିଲା ସେଥିରେ ଭଟା ପଡିଛି । ରାହୁଲ ଗାନ୍ଧିଙ୍କ ଆଗ୍ରେସିଭ୍ ପଲିଟିକ୍ସକୁ ଗ୍ରହଣ କରିଛନ୍ତି ଭୋଟର । ଏହି ଫଳାଫଳର ସିଧା ପ୍ରଭାବ ଜାତୀୟ ରାଜନୀତି ଉପରେ ପଡିବ ବୋଲି ଆକଳନ କରାଯାଉଛି । ୨୦୧୪ ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ରାହୁଲଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲା। ପରେ ପରେ ଉତ୍ତରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶରେ ବଡ଼ ହାର ମଧ୍ୟ ରାହୁଲଙ୍କ ପାଇଁ ସଙ୍କଟ ସୃଷ୍ଟି କରିଥିଲା । ଯେଉଁ ରାହୁଲଙ୍କୁ ପପୁ କହି ତାତ୍ସ୍ୟଲ୍ୟ କରୁଥିଲେ ଏବେ ସେହି ରାହୁଲ ହିଁ ମହାମେଣ୍ଟରେ ବଳିୟାନ ହୋଇଛନ୍ତି। ଆଉ ୧୯ରେ ମୋଦିଙ୍କୁ କଡ଼ା ଟକ୍କର ଦେବେ ତାର ସଙ୍କେତ ମିଳିଯାଇଛି। ୨୦୧୯ ପୂର୍ବରୁ ରାହୁଲଙ୍କ ପ୍ରତି ଆଞ୍ଚଳିକ ଦଳର ଭରସା ବଢ଼ିଛି।

ତିନି ହିନ୍ଦି ବେଲ୍ଟ ରାଜ୍ୟର କ୍ୟମ୍ପେନ ଟ୍ରେଣ୍ଡ ଉପରେ ନଜର ପକାନ୍ତୁ। ମୋଦି ଯେଉଁଠି ଯେଉଁଠି ପ୍ରଚାର କରିଥିଲେ ରାଜସ୍ଥାର ୧୨ଟି ସ୍ଥାନ ମଧ୍ୟରୁ ୬ଟି ଏବଂ ମଧ୍ୟପ୍ରଦେଶର ୧୦ଟି ସ୍ଥାନ ମଧ୍ୟରୁ ୮ଟି ସ୍ଥାନରେ ବିଜେପି ଜିତିଛି। ସେହିପରି ରାହୁଲ ଯେଉଁଠି ଯେଉଁଠି ପ୍ରଚାର କରିଥିଲେ ସେମଧ୍ୟରୁ ରାଜସ୍ଥାନର ୧୫ ସ୍ଥାନ ମଧ୍ୟରୁ ୬ଏବଂ ମଧ୍ୟପ୍ରଦେଶର ୨୦ଟି ସ୍ଥାନରୁ ୮ଟି ସ୍ଥାନରେ କଂଗ୍ରେସ ଜିତିଛି। ସେ ଦୃଷ୍ଟିରୁ ରାହୁଲଙ୍କ ନେତୃତ୍ବ ଉପରେ ଏବେ ବି ପ୍ରଶ୍ନ ଚିହ୍ନ ରହିବା ସ୍ବାଭାବିକ । ସେପଟେ ବିଜେପି କହୁଛି ଏ ପରାଜୟ ମୋଦିଙ୍କ ପାଇଁ ନୁହେଁ।

ଏହି ନିର୍ବାଚନ ଆଉ ଏକ ସଙ୍କେତ ଦେଇଛି ମହାମେଣ୍ଟର ସଂଯୋଜକ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ। ତେଲେଙ୍ଗାନାରେ ଟିଆରଏସ୍ ଆଗରେ କଂଗ୍ରେସ କି ଟିଡିପିର ବଲା ଚାଲିନି । ତେଣୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପାଇଁ ଏହା ଏକ ବଡ଼ ଧକ୍କା ହୋଇଛି। ତେବେ ଚନ୍ଦ୍ରବାବୁଙ୍କ ଏନଡିଏ ଏବଂ ଉପେନ୍ଦ୍ର ଖୁସଓାଙ୍କ ଆରଏଲଏସପି ଆଦି ଦଳ ଏନଡିଏ ଛାଡି ପଳାଇଛନ୍ତି । ଶିବସେନା ଭଳି ଦଳ ଏନଡିଏ ମେଣ୍ଟରେ ଥିଲେ ବି ୨୦୧୯ରେ ବିଜେପି ମେଣ୍ଟରେ ରହିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ମେଣ୍ଟ ନେଇ ବିଜେପି ଭାବିବାକୁ ବାଧ୍ୟ ହେବ।
ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସରକାର ବିରୋଧି ହାଓା ପ୍ରବଳ ବୋହୁଥିଲା ୩ ବିଜେପି ଶାସିତ ରାଜ୍ୟରେ । କିନ୍ତୁ ମୋଦି ହାଓା ଏହାକୁ ଅଟକାଇଦେବ ବାହାନାରେ ଏହି ରାଜ୍ୟର ନେତୃତ୍ବ ତାହା ସ୍ବୀକାର କରୁନଥିଲେ । ଏବେ ଫଳାଫଳ ସ୍ପଷ୍ଟ ହୋଇଛି ଆଉ ୨୦୧୯ ପାଇଂ କଂଗ୍ରେସ ଓ ବିଜେପି ଭିତରେ ଲକ୍ଷ୍ମଣରେଖା ଟଣା ସରିଛି । ଆଉ ମାତ୍ର ମାସ କେଇଟା ପରେ ସ୍ପଷ୍ଟ ହେବ ଦେଶର ଜନତା କାହା ହାତରେ ଶାସନ ଡୋର ଦେଉଛନ୍ତି ।